ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପୋଲିସ ଏକ କାର ଉପରେ ଗୁଳି ଚଳାଇବାରୁ ଜଣେ ନଅ ବର୍ଷୀୟା ଅଷ୍ଟ୍ରେଲିୟ ପାକିସ୍ତାନୀ ଝିଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ତାଙ୍କ ବାପା ଏବଂ ଭାଇ ଗୁରୁତର ଆହତ ହୋଇଛନ୍ତି। ପୋଲିସ ସନ୍ଦେହ କରିଥିଲା ଯେ କାରଟି ଡକାୟତମାନେ କବଜା କରିଥିଲେ। ଏହି ଘଟଣା ଜୁନ୍ ୧୦ ତାରିଖରେ ଲାହୋରରୁ ପ୍ରାୟ ୩୦୦ କିଲୋମିଟର ଦୂର ଚକୱାଲ ଜିଲ୍ଲାରେ ଘଟିଥିଲା।
ପୋଲିସ ଅନୁଯାୟୀ, ଅଡିଲ ଅହମ୍ମଦ, ତାଙ୍କ ପତ୍ନୀ ଡାକ୍ତର ସିଦ୍ରା ଖାନ, ଝିଅ ହାନିଆ ଏବଂ ପୁଅ ଅଫାନଙ୍କ ଅଷ୍ଟ୍ରେଲିୟ-ପାକିସ୍ତାନୀ ପରିବାର ସାଉଦି ଆରବରେ ହଜ୍ ତୀର୍ଥଯାତ୍ରା କରି ଗତ ସପ୍ତାହରେ ପାକିସ୍ତାନ ଫେରିଥିଲେ। ପୋଲିସ ଏକ ବିବୃତ୍ତିରେ କହିଛି ଯେ ଗତ ବୁଧବାର ରାତିରେ ଯେତେବେଳେ ଅହମ୍ମଦ ଏବଂ ତାଙ୍କ ପରିବାର ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଉଥିଲେ, ଏକ ମୋଟରସାଇକେଲରେ ଦୁଇଜଣ ସଶସ୍ତ୍ର ବ୍ୟକ୍ତି ସେମାନଙ୍କ କାରକୁ ଅବରୋଧ କରିଥିଲେ।
ଅହମ୍ମଦ ତୁରନ୍ତ ପୋଲିସ ଜରୁରୀକାଳୀନ ନମ୍ବରକୁ କଲ୍ କରି ଘଟଣା ବିଷୟରେ ଜଣାଇଥିଲେ। ବିବୃତ୍ତି ଅନୁଯାୟୀ, ପାକିସ୍ତାନ ପୋଲିସର ଏକ ସ୍ୱତନ୍ତ୍ର ବାହିନୀ, ଅପରାଧ ନିୟନ୍ତ୍ରଣ ବିଭାଗ (ସିସିଡି)ର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କାରରେ ଥିବା ପରିବାରକୁ ଡକାୟତ ଭାବି ଅଚାନକ ଗୁଳି ଚଳାଇଥିଲେ।
ଗୁଳିକାଣ୍ଡରେ ସମ୍ପୃକ୍ତ ଜଣେ ସିସିଡି ଅଧିକାରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ପରିବାରକୁ ଲୁଟ କରିବାକୁ ଚେଷ୍ଟା କରିଥିବା ମହମ୍ମଦ ଆବାସ ଏବଂ ମହମ୍ମଦ ଫୟାଜ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିଲେ।
ଅଧିକ ପଢ଼ନ୍ତୁ: ସୋସିଆଲ ମିଡିଆରେ ବଲିଉଡ ଫିଲ୍ମ ‘ଧୁରନ୍ଧର’ର ଗୀତ ସେୟାର କଲେ ମାକ୍ରନ