ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦ୍ବାରା ମଙ୍ଗଳବାର-ବୁଧବାର ରାତିରେ କରାଯାଇଥିବା ‘ଅପରେସନ ସିନ୍ଦୂର’ର ସଫଳତା ପରେ କେନ୍ଦ୍ର ସରକାର ଗୁରୁବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସଂସଦ ପରିସରରେ ଥିବା କମିଟି ରୁମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି।
ଏହି ବୈଠକରେ ସମସ୍ତ ରାଜନୈତିକ ଦଳକୁ ପାକିସ୍ତାନ ବିରୁଦ୍ଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ଅବଗତ କରାଯିବ। ଏହା ବ୍ୟତୀତ ସୀମା ସୁରକ୍ଷା ସହ ଜଡିତ ବିଷୟଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯିବ। ସରକାରଙ୍କ ଲକ୍ଷ୍ୟ ହେଉଛି ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ସମସ୍ତଙ୍କୁ ସାଙ୍ଗରେ ନେବା। ପାକିସ୍ତାନରେ ଅବସ୍ଥିତ ଆତଙ୍କବାଦୀ କେନ୍ଦ୍ରଗୁଡ଼ିକୁ ଧ୍ୱଂସ କରିବା ପରେ, ସମସ୍ତ ଦଳ ସେନାର ଏହି ଅପରେସନକୁ ସମର୍ଥନ କରିଛନ୍ତି।
ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ, ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ବିରୋଧୀ ଦଳ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାରେ ବିରୋଧୀ ଦଳ ନେତା ସାଂସଦ ରାହୁଲ ଗାନ୍ଧୀ ଉପସ୍ଥିତ ଅଛନ୍ତି।
ସର୍ବଦଳୀୟ ବୈଠକ ବିଷୟରେ କିରେନ ରିଜିଜୁ ତାଙ୍କ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ଉପରେ ଆଲୋଚନା କରିବା ପାଇଁ ମେ ୮ ତାରିଖରେ ନୂଆଦିଲ୍ଲୀରେ ସମସ୍ତ ଦଳର ଏକ ବୈଠକ ଡକାଇଛନ୍ତି। ‘ଅପରେଶନ ସିନ୍ଦୁର’ ନାମରେ ହୋଇଥିବା ଲଢ଼େଇ ଦେଶବାସୀଙ୍କର। ଏଥି ପାଇଁ ଏବାବଦରେ ସମସ୍ତେ ଜାଣିବା ଦରକାର ଅଛି। ପୂର୍ବରୁ ଏପ୍ରିଲ ୨୨ ତାରିଖରେ, ଯେତେବେଳେ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, କେନ୍ଦ୍ର ସରକାର ପରଦିନ ଏକ ସର୍ବଦଳୀୟ ବୈଠକ ଡାକି ଦେଶର ସୁରକ୍ଷା ଏବଂ ପରବର୍ତ୍ତୀ ପଦକ୍ଷେପ ବିଷୟରେ ସମସ୍ତ ପ୍ରମୁଖ ନେତାଙ୍କୁ ଅବଗତ କରାଇଥିଲେ।
ଅଧିକ ପଢ଼ନ୍ତୁ: ଅଜିତ ଡୋଭାଲଙ୍କୁ ଫୋନ୍ କଲେ ପାକିସ୍ତାନର ଏନ୍ଏସ୍ଏ