ନୂଆଦିଲ୍ଲୀ: କୁମ୍ଭମେଳା ପାଇଁ ବହୁ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ କାମ କରୁଛି। ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କୁମ୍ଭ ମେଳା ସମୟରେ ୯୯୨ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଆସନ୍ତା ବର୍ଷ ଜାନୁଆରିରେ ପ୍ରୟାଗରାଜରେ କୁମ୍ଭ ମେଳା ଅନୁଷ୍ଠିତ ହେବ।
ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟତୀତ ଯାତ୍ରୀଙ୍କ ପାଇଁ ବିଭିନ୍ନ ଭିତ୍ତିଭୂମି ଓ ସୁବିଧା ସୁଯୋଗ ସୃଷ୍ଟି ପାଇଁ ମନ୍ତ୍ରଣାଳୟ ୯୩୩ କୋଟି ଟଙ୍କା ବ୍ୟୟ ବରାଦ କରିଛି। ପ୍ରୟାଗରାଜ ଡିଭିଜନ ଏବଂ ଏହାର ଆଖପାଖ ଅଞ୍ଚଳରେ ୩,୭୦୦ କୋଟି ଟଙ୍କା ବ୍ୟୟରେ କୁମ୍ଭମେଳା ପାଇଁ ରେଳଧାରଣାକୁ ଦୋହରୀକରଣ କାର୍ଯ୍ୟ ଦ୍ରୁତଗତିରେ କରାଯାଉଛି।
ଜାନୁଆରୀ ୧୨ରୁ ଆରମ୍ଭ ହେବାକୁ ଥିବା କୁମ୍ଭମେଳାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡର ମୁକାବିଲା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ ଏବଂ ଭି ସୋମାନ୍ନା ଶନିବାର ବୈଠକ କରିଥିଲେ।
କୁମ୍ଭମେଳାରେ ୩୦ରୁ ୫୦ କୋଟି ଶ୍ରଦ୍ଧାଳୁ ଯୋଗଦେବେ ବୋଲି ଆଶା କରାଯାଉଥିବାରୁ ରେଳ ମନ୍ତ୍ରଣାଳୟ ବିଭିନ୍ନ ସହରରୁ ପ୍ରୟାଗରାଜକୁ ୬,୫୮୦ ନିୟମିତ ଟ୍ରେନ୍ ବ୍ୟତୀତ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ଅତୀତର ଅଭିଜ୍ଞତାକୁ ଆଧାର କରି ସ୍ବତନ୍ତ୍ର ଟ୍ରେନ୍ ସଂଖ୍ୟା ୪୨ ପ୍ରତିଶତ ବୃଦ୍ଧି କରି ୯୯୨ କରିବାକୁ ନିଷ୍ପତ୍ତି ନିଆଯାଇଛି।
ପର୍ବପର୍ବାଣୀର ଭିଡ଼କୁ ଦୃଷ୍ଟିରେ ରଖି ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ ଆସନ୍ତା ଦୁଇ ମାସ ମଧ୍ୟରେ ୨୬ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଅକ୍ଟୋବର ପହିଲାରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା, ଦୀପାବଳି ଓ ଛଠ ପୂଜା ପର୍ବରେ ଏହି ୧୩ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ ଏବଂ ଅତିରିକ୍ତ ଯାତ୍ରୀଙ୍କୁ ସେବା ଯୋଗାଇବ।
ଅଧିକ ପଢ଼ନ୍ତୁ: ଅଗ୍ନିପଥ ଯୋଜନାରେ ଯୁବବର୍ଗ ଉପକୃତ ହେବେ