ଖବର ଓଡ଼ିଶା: ପାସପୋର୍ଟ ବିଦେଶ ଯାତ୍ରା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣଙ୍କ ପାଖରେ ପାସପୋର୍ଟ ନାହିଁ, ତା ହେଲେ ଦେଶ ବାହାରକୁ ଯାତ୍ରା କରି ପାରିବେ ନାହିଁ । ଯେକୌଣସି ଦେଶର ନାଗରିକଙ୍କ ପାଇଁ ସବୁଠାରୁ ବଡ ଶକ୍ତି ହେଉଛି ପାସପୋର୍ଟ । କେବଳ ପାସପୋର୍ଟ ନୁହେଁ ବିଦେଶ ଗସ୍ତ ପାଇଁ ଭିସା ମଧ୍ୟ ସେତିକି ଗୁରୁତ୍ୱ ବହନ କରିଥାଏ । ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ପାସପୋର୍ଟ ମଧ୍ୟ ଦ୍ରୁତ ଗତିରେ ସୁଦୃଢ଼ ହୋଇଛି । ଏହାର ଶକ୍ତି ଚିହ୍ନି ୫୮ଟି ଦେଶ ଆମ ନାଗରିକଙ୍କ ପାଇଁ ଭିସା ଆବଶ୍ୟକତାକୁ ରଦ୍ଦ କରି ଦେଇଛନ୍ତି । ଭାରତୀୟ ନାଗରିକମାନେ ଯେକୌଣସି ସମୟରେ ସହଜରେ ଏହି ଦେଶକୁ ଯାତ୍ରା କରିପାରିବେ ।
ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୪ ରିପୋର୍ଟ ଅନୁଯାୟୀ, ଭାରତୀୟ ପାସପୋର୍ଟ ବିଶ୍ୱରେ ୮୨ତମ ସ୍ଥାନରେ ରହିଛି । ଏକ ଶକ୍ତିଶାଳୀ ପାସପୋର୍ଟ ସାହାଯ୍ୟରେ ଭିସା ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ । ଏହା ବିଦେଶ ଭ୍ରମଣ କରିବା ପାଇଁ ଅଧିକ ସୁଯୋଗ ସୃଷ୍ଟି କରେ । ଆଫ୍ରିକାର ଅଙ୍ଗୋଲା, ସେନେଗାଲ ଏବଂ ରୁୱାଣ୍ଡାରେ ଭାରତୀୟଙ୍କ ପାଇଁ ଭିସାର ଆବଶ୍ୟକତା ନାହିଁ । ଏହା ବ୍ୟତୀତ ଭାରତୀୟମାନେ ବାରବାଡୋସ୍, ଡୋମିନିକା, ଏଲ୍ ସାଲଭାଡୋର, ଗ୍ରେନାଡା, ହାଇତି, ସେଣ୍ଟ କିଟ୍ସ ଓ ନେଭିସ୍, ଟ୍ରାଇନିନାଡ୍ ଏବଂ ଟୋବାଗୋ ଭଳି ଦେଶ ପରିଦର୍ଶନ କରିପାରିବେ । ପଡୋଶୀ ଦେଶ ନେପାଳ ଏବଂ ଭୁଟାନ ସହିତ ଓସେନିଆର ଅନେକ ଦେଶ ମଧ୍ୟ ଭାରତୀୟ ଭିସାକୁ ପୂର୍ଣ୍ଣ ସମ୍ମାନ ଦିଅନ୍ତି ।
ହେନଲି ପାସପୋର୍ଟ ଇଣ୍ଡେକ୍ସ ପାସପୋର୍ଟ ମାନ୍ୟତା ପାଇବା ପାଇଁ ଆନ୍ତର୍ଜାତୀୟ ବିମାନ ପରିବହନ ପ୍ରାଧିକରଣର ତଥ୍ୟ ବ୍ୟବହାର କରିଥାଏ । ଏହି ତାଲିକାରେ ସିଙ୍ଗାପୁର ପ୍ରଥମ ସ୍ଥାନରେ ରହିଛି । ସିଙ୍ଗାପୁରର ନାଗରିକମାନେ ବିନା ଭିସାରେ ୧୯୫ ଟି ଦେଶରେ ପ୍ରବେଶ କରିପାରିବେ । ଫ୍ରାନ୍ସ, ଜର୍ମାନୀ, ସ୍ପେନ୍ ଏବଂ ବ୍ରିଟେନ ଏହି ତାଲିକାରେ ଶ୍ରେଷ୍ଠରେ ଅନ୍ତର୍ଭୁକ୍ତ । ଆମେରିକାର ପାସପୋର୍ଟ ଅଷ୍ଟମ ସ୍ଥାନକୁ ଖସି ଆସିଛି । ଏହା ଏକଦା ବିଶ୍ୱରେ ଏକ ନମ୍ବର ଥିଲା ।