ଚେନ୍ନାଇ: ଶ୍ରୀଲଙ୍କା ନୌସେନା ଦ୍ୱାରା ଗିରଫ ହୋଇଥିବା ତାମିଲନାଡୁର ୧୯ ଜଣ ମତ୍ସ୍ୟଜୀବୀ ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିଛନ୍ତି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ସୀମାପାର ମାଛ ଧରିବା ଅଭିଯୋଗରେ ଗିରଫ କରାଯାଇଥିଲା। ତାମିଲନାଡୁ ମତ୍ସ୍ୟ ବିଭାଗର ଅଧିକାରୀମାନେ ସେମାନଙ୍କୁ ସ୍ୱାଗତ କରିବା ସହ ନିଜ ନିଜ ଗାଁକୁ ପଠାଇଛନ୍ତି।
ସୂଚନାଯୋଗ୍ୟ ଶ୍ରୀଲଙ୍କା ନୌସେନା ଗତ ଫେବ୍ରୁଆରି ୮ ତାରି ସକାଳୁ ୧୯ ଜଣ ତାମିଲ ମତ୍ସ୍ୟଜୀବୀଙ୍କୁ ବନ୍ଧୁକ ଦେଖାଇ ଗିରଫ କରିଥିଲା। ମତ୍ସ୍ୟ ବିଭାଗର ଆବଶ୍ୟକ ଅନୁମତି ପାଇବା ପରେ ମତ୍ସ୍ୟଜୀବୀମାନେ ୪୦୦ ଟି ମାଛଧରା ଡଙ୍ଗାରେ ବନ୍ଦରରୁ ବାହାରିଥିଲେ।
ସେମାନେ ଧନୁଷକୋଡି ଏବଂ ନେଦୁନ୍ଥିଭୁ ମଧ୍ୟରେ ସମୁଦ୍ରରେ ଜାଲ ପକାଇଥିବା ବେଳେ ଶ୍ରୀଲଙ୍କା ନୌସେନା ସେମାନଙ୍କୁ ଘେରାଉ କରି ଦୁଇ ଜଣ ମତ୍ସ୍ୟଜୀବୀ ଆଲେକ୍ସ ଏବଂ ଆନ୍ଥୋନି ଶଶିକୁମାରଙ୍କ ଡଙ୍ଗା ଜବତ କରିବା ବେଳେ ମାଛଧରା ଦଳକୁ ଘଉଡ଼ାଇ ଦେଇଥିଲା। ଏହାପରେ ଶ୍ରୀଲଙ୍କା ନୌସେନା ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ଅତିକ୍ରମ କରିଥିବା ଅଭିଯୋଗରେ ଓଡ଼ିଶାର ଦୁଇ ପ୍ରବାସୀ ଶ୍ରମିକଙ୍କ ସମେତ ୧୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା।
ବନ୍ଦରକୁ ଫେରିଥିବା ମତ୍ସ୍ୟଜୀବୀମାନେ ଅଭିଯୋଗ କରିଥିଲେ ଯେ ଶ୍ରୀଲଙ୍କା ନୌସେନାର ଯବାନମାନେ ସେମାନଙ୍କ ଜାଲକୁ ନଷ୍ଟ କରିଥିଲେ ଏବଂ ଡଙ୍ଗାରେ ବସିବା ପରେ ସେମାନଙ୍କ ଉପରେ ଆକ୍ରମଣ ମଧ୍ୟ କରିଥିଲେ। ମତ୍ସ୍ୟଜୀବୀମାନେ ଆହୁରି ମଧ୍ୟ ଦାବି କରିଥିଲେ ଯେ ଶ୍ରୀଲଙ୍କା ନୌସେନା କର୍ମଚାରୀମାନେ ସେମାନଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। କିଛି ମତ୍ସ୍ୟଜୀବୀ ଦାବି କରିଥିଲେ ଯେ ଏହି ଦୁର୍ଘଟଣା ଯୋଗୁଁ ଡଙ୍ଗା ପିଛା ୯୦ ହଜାର ଟଙ୍କାର କ୍ଷତି ହୋଇଛି।
ଅଧିକ ପଢ଼ନ୍ତୁ: ମୁମ୍ବାଇରେ ଏଥର ଏହି ଦିନ ହେବ ଇଦ୍-ଇ-ମିଲାଦ ଛୁଟି