ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଜଳ ଏବେ ଗଭୀର ସମସ୍ୟା ପାଲଟିଛି । ବର୍ତ୍ତମାନ ବନ୍ୟା ସହ ସଂଘର୍ଷ କରୁଛି ପଡୋଶୀ ଦେଶ । ମାତ୍ର ଭବିଷ୍ୟତର ଚିତ୍ର ଆହୁରି ଭୟାନକ ରହିଛି । ଯେଉଁଭଳି ଭାବେ ସେଠାରେ ଜଳ ସଙ୍କଟ ଗଭୀର ହେଉଛି, ସେଥିରେ ପାକିସ୍ତାନ ପାଣି ବୁନ୍ଦେ ପାଇଁ ଡହଳ ବିକଳ ହେବାର ଆଶଙ୍କା ଦେଖା ଦେଇଛି । ପାକିସ୍ତାନ ପାଖରେ ଏମିତି କୌଣସି ବ୍ୟବସ୍ଥା ନାହିଁ, ଯେଉଁଥିରେ ବର୍ଷା ପାଣିକୁ ଅଟକାଇ ପାରିବ । ଅନ୍ୟପଟେ ଭାରତ ଦ୍ୱାରା ସିନ୍ଧୁ ନଦୀର ପାଣି ରୋକାଯିବାରୁ ପୂର୍ବରୁ ପାକିସ୍ତାନର ଅବସ୍ଥା ଖରାପ ଅଛି । ପାକିସ୍ତାନର ଡନ ଖବରର ରିପୋର୍ଟରେ ଦର୍ଶା ଯାଇଛି ଯେ, ଆଗାମୀ ଦିନରେ ପାକିସ୍ତାନରେ କିଭଳି ଜଳ ସଙ୍କଟ ଅଧିକ ଘନେଇବ ।
ପାଣିପାଗ ବୈଜ୍ଞାନିକ ଲଗାତାର ଚେତାବନୀ ଦେଇଛନ୍ତି ଯେ, ଦକ୍ଷିଣ ଏସିଆରେ ବନ୍ୟା ଓ ମରୁଡି ଲଗାତାର ଦେଖା ଦେବ । ଏମିତିରେ ଆବଶ୍ୟକ ଜଳ ଭଣ୍ଡାର ନ ଥିବାରୁ ପାକିସ୍ତାନ ପାଇଁ ଏହା ବଡ ସମସ୍ୟା ପାଲଟିପାରେ । ଏଠାରେ ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ପାଣି ସମସ୍ୟା ରହି ଆସିଛି । ଜଳ ସୂଚକା ତାଲିକାରେ ପାକିସ୍ତାନ ୧୫ମ ସ୍ଥାନରେ ରହିଛି । ଅର୍ଥାତ ପାକିସ୍ତାନରେ ଜଳସଙ୍କଟ ଧିରେ ଧିରେ ଘନେଇବାରେ ଲାଗିଛି । ଆଉ ଏକ ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୩୫ ସୁଦ୍ଧା ପାକିସ୍ତାନ ଜଳର ପ୍ରତିଟି ବୁନ୍ଦା ପାଇଁ ଡହଳ ବିକଳ ହେବ ।
ୱାର୍ଲ୍ଡ ୱାଇଲ୍ଡଲାଇଫ ଫଣ୍ଡ ପାକିସ୍ତାନର ରିପୋର୍ଟ ଅନୁସାରେ, ଏଠାରେ ଲଗାତାର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଏହା ମୁତାବକ ୧୯୪୭ରେ ପାକିସ୍ତାନ ନିକଟରେ ୫୬୦୦ କ୍ୟୁବିକ ମିଟର ପାଣି ଥିବାର ଅନୁମାନ କରାଯାଉଥିଲା । ମାତ୍ର୨୦୨୩ରେ ଏହା ହ୍ରାସ ପାଇ ୯୩୦କ କ୍ୟୁବିକୁ ଖସି ଆସିଛି । ଏହା ମୁତାବକ ପାକିସ୍ତାନରେ ପାଣି ସଙ୍କଟ ଦୁନିଆରେ ସବୁଠୁ ଅଧିକ । ସ୍ଥିତି ଏମିତି ଯେ, ଆଗାମୀ ସମୟରେ ଏଠାରେ ଜୀବନ ଜୀବିକା ବହୁତ ମୁସ୍କିଲ ହୋଇଯିବ ।