ଶ୍ରୀହରିକୋଟା: ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍ଚର ରାଡାର (NISAR) ବୁଧବାର ଦିନ ଉତକ୍ଷେପଣ କରାଯିବ। ଇସ୍ରୋର ଜିଏସ୍ଏଲ୍ଭି-ଏଫ୍୧୬ ରକେଟ୍ ବୁଧବାର ସନ୍ଧ୍ୟା ୫.୪୦ ରେ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ NISAR ସହିତ ଉଡ଼ାଣ କରିବ ଏବଂ ଉପଗ୍ରହକୁ ସୂର୍ଯ୍ୟ-ସମକାଳୀନ ପୋଲାର କକ୍ଷପଥରେ ସ୍ଥାପନ କରିବ।
ଏହି ମହତ୍ୱାକାଂକ୍ଷୀ ମିଶନ ପାଇଁ କାଉଣ୍ଟଡାଉନ୍ ମଙ୍ଗଳବାର ଆରମ୍ଭ ହୋଇଥିଲା। ଇଣ୍ଟରନେଟ୍ ମିଡିଆରେ ପ୍ରକାଶିତ ଏକ ଅପଡେଟରେ ଇସ୍ରୋ କହିଛି ଯେ, ଜିଏସ୍ଏଲ୍ଭି-ଏଫ୍୧୬ NISARକୁ କକ୍ଷପଥରେ ନେବା ପାଇଁ ପ୍ରସ୍ତୁତ। ଅନ୍ତିମ ପ୍ରସ୍ତୁତି ଚାଲିଛି। ଲଞ୍ଚ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି।
ଜିଏସ୍ଏଲ୍ଭି ଏଫ୍୧୬ ହେଉଛି ଭାରତର ଜିଓସିଙ୍କ୍ରୋନାସ୍ ସାଟେଲାଇଟ୍ ଲଞ୍ଚ ଯାନର ୧୮ ତମ ଉଡ଼ାଣ। ଏହି ମିଶନ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ୧୦୨ ତମ ଉତକ୍ଷେପଣ ହେବ। ଏହା ସୂର୍ଯ୍ୟ-ସମକାଳୀନ ପୋଲାର କକ୍ଷପଥରେ ଯିବା ପାଇଁ ଜିଏସ୍ଏଲ୍ଭି ରକେଟର ପ୍ରଥମ ମିଶନ।
ଯଦିଓ ଇସ୍ରୋ ପୂର୍ବରୁ Resourcesat ଏବଂ RISAT ସମେତ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଉତ୍ କ୍ଷେପଣ କରିଛି, ଏହି ଉପଗ୍ରହଗୁଡ଼ିକରୁ ସଂଗୃହିତ ତଥ୍ୟ କେବଳ ଭାରତୀୟ କ୍ଷେତ୍ର ପାଇଁ ସୀମିତ ଥିଲା। ୨,୩୯୨ କିଲୋଗ୍ରାମ ଓଜନ ବିଶିଷ୍ଟ, NISAR ଏକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ।
NISAR ଉପରେ ନଜର
ଇେ୍ରସା ଏବଂ ନାସା ମିଳିତ ଭାବରେ ପ୍ରଥମ ଥର ପାଇଁ ଏକ ଉପଗ୍ରହ ଉତ୍ କ୍ଷେପଣ କରୁଛନ୍ତି ଯାହା ସମଗ୍ର ପୃଥିବୀ ଉପରେ ନଜର ରଖିବ। NISAR ପ୍ରତି ୧୨ ଦିନରେ ସମଗ୍ର ପୃଥିବୀର ଭୂମି ଏବଂ ବରଫାବୃତ ପୃଷ୍ଠକୁ ସ୍କାନ କରିବ। ଏହା ଏକ ସେଣ୍ଟିମିଟର ସ୍ତର ପର୍ଯ୍ୟନ୍ତ ସଠିକ୍ ଫଟୋଗ୍ରାଫ୍ ନେବା ଏବଂ ପଠାଇବାରେ ସକ୍ଷମ।
ଏଥିରେ ନାସା ଦ୍ୱାରା ବିକଶିତ ଏଲ୍-ବ୍ୟାଣ୍ଡ ରାଡାର ଏବଂ ଇସ୍ରୋ ଦ୍ୱାରା ବିକଶିତ ଏସ୍-ବ୍ୟାଣ୍ଡ ରାଡାର ଲଗାଯାଇଛି, ଯାହାକୁ ବିଶ୍ୱର ସବୁଠାରୁ ଉନ୍ନତ ବୋଲି ବିବେଚନା କରାଯାଏ। ଏହି ପ୍ରଯୁକ୍ତିବିଦ୍ୟା ଭୂମିକମ୍ପ, ସୁନାମି, ଜ୍ୱାଳାମୁଖୀ ଉଦ୍ଗିରଣ, ଭୂସ୍ଖଳନ ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ପ୍ରକୃତ ସମୟରେ ତଦାରଖ କରିବାରେ ସାହାଯ୍ୟ କରିବ।
ଅଧିକ ପଢ଼ନ୍ତୁ: ମିଥ୍ୟା ପ୍ରମାଣିତ ହେଲା ପାକ୍ର ପରମାଣୁ ଧମକ