ନୂଆଦିଲ୍ଲୀ: ରୁଷିଆର ଦୂର ପୂର୍ବରେ ଥିବା କାମଚଟକା ଉପଦ୍ୱୀପରେ ବୁଧବାର ଭୋର ସକାଳୁ ୮.୮ ତୀବ୍ରତାର ଏକ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପ ପରେ ପ୍ରଶାନ୍ତ ମହାସାଗରରେ ସୁନାମି ଚେତାବନୀ ଜାରି କରାଯାଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଆଗାମୀ ତିନି ଘଣ୍ଟା ମଧ୍ୟରେ ରୁଷ ଏବଂ ଜାପାନ ଉପକୂଳରେ ବିପଦପୂର୍ଣ୍ଣ ସୁନାମି ଲହରୀ ପହଞ୍ଚିପାରେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଗୁଡ଼ିକ ପ୍ରଚଣ୍ଡ ଭୂମିକମ୍ପ ଏବଂ କୋଠା ଭିତରେ କ୍ଷତିର ଚିତ୍ର ପ୍ରକାଶ କରିଛି।
ଭୂମିକମ୍ପର ଗଭୀରତା ମାତ୍ର ୧୯.୩ କିଲୋମିଟର ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ କାମଚଟକାର ପେଟ୍ରୋପାଭଲୋଭସ୍କ ସହରରୁ ୧୨୫ କିଲୋମିଟର ଦୂରରେ ଆଭାଚା ବେ ଉପକୂଳରେ ଥିଲା। ୟୁଏସ୍ଜିଏସ୍ ପୂର୍ବରୁ ଏହାର ତୀବ୍ରତା ୮.୦ ବୋଲି ରିପୋର୍ଟ କରିଥିଲା, କିନ୍ତୁ ପରେ ଏହାକୁ ୮.୮ରେ ପରିବର୍ତ୍ତନ କରିଥିଲା। ଚେତାବନୀ ଜରି ପରେ ପ୍ରାକୃତିକ ବିପର୍ଯ୍ୟୟ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ଭିଡିଓଗୁଡ଼ିକରେ ଭୂମିକମ୍ପର ତୀବ୍ରତା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ଗୋଟିଏ ଭିଡିଓରେ, ଏକ ଆବାସିକ ଆପାର୍ଟମେଣ୍ଟ ଭିତରେ ଥିବା ଆସବାବପତ୍ର ଏବଂ ଜିନିଷପତ୍ର ପ୍ରବଳ ଥରୁଥିବା ଦେଖାଯାଉଛି। ଆଉ ଏକ ଭିଡିଓରେ ଭୂମିକମ୍ପ ଚିହ୍ନଟ ହେବା ମାତ୍ରେ ରୁଷିଆର ଭୂକମ୍ପ କେନ୍ଦ୍ରରେ ଆଲାର୍ମ ବାଜିବାର ଚିତ୍ର ପ୍ରକାଶ ପାଇଛି। ଅନ୍ୟ ଫୁଟେଜରେ କୋଠାଗୁଡ଼ିକ ପ୍ରବଳ ଭାବରେ ଥରୁଥିବା ଦେଖାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ରିପୋର୍ଟ ମିଳିନାହିଁ। ତଥାପି, ଅଞ୍ଚଳର ଅନେକ ସ୍ଥାନରେ କ୍ଷୟକ୍ଷତିର ରିପୋର୍ଟ ଆସିଛି। କାମଚାଟକା ରାଜ୍ୟପାଳ ଭ୍ଲାଦିମିର ସୋଲୋଡୋଭ ଟେଲିଗ୍ରାମରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ କହିଛନ୍ତି, ଆଜିର ଭୂମିକମ୍ପ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଦଶନ୍ଧି ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଥିଲା। ସେ କହିଛନ୍ତି ଯେ କୌଣସି ମୃତାହତ ହୋଇନାହିଁ, କିନ୍ତୁ ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏକ କିଣ୍ଡରଗାର୍ଟେନ କ୍ଷତିଗ୍ରସ୍ତ ହୋଇଛି।
ସାଖାଲିନ୍ ଗଭର୍ଣ୍ଣର ଭାଲେରି ଲିମାରେଙ୍କୋ କହିଛନ୍ତି ଯେ ସୁନାମିର ଆଶଙ୍କା ହେତୁ ଉପଦ୍ୱୀପର ଦକ୍ଷିଣରେ ଥିବା ସେଭେରୋ-କୁରିଲସ୍କ ନାମକ ଛୋଟ ସହରକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୁଷର ଜରୁରୀକାଳୀନ ମନ୍ତ୍ରଣାଳୟର କାମଚାଟକା ଶାଖା ଟେଲିଗ୍ରାମରେ କହିଛି ଯେ ୩୨ ସେଣ୍ଟିମିଟର ଉଚ୍ଚ ସୁନାମି ତରଙ୍ଗ ଉପକୂଳରେ ପହଞ୍ଚିପାରେ।
ଜାପାନ ପାଣିପାଗ ସଂସ୍ଥା ଏହାର ସୁନାମି ସତର୍କତାକୁ ଆହୁରି କଡ଼ାକଡ଼ି କରିଛି, କହିଛି ଯେ ୩ ମିଟର ଉଚ୍ଚ ତରଙ୍ଗ ସକାଳ ୧୦ଟାରୁ ସାଢ଼େ ୧୧ଟା ମଧ୍ୟରେ ଜାପାନର ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ପହଞ୍ଚିପାରେ। ଜାପାନ ପାଣିପାଗ ସଂସ୍ଥା ମଧ୍ୟ ୧ ମିଟର ପର୍ଯ୍ୟନ୍ତ ସୁନାମି ଉପକୂଳବର୍ତ୍ତୀ ଅଞ୍ଚଳକୁ ଛୁଇଁପାରେ ବୋଲି ସତର୍କ କରାଇଛି। ଆମେରିକା ଆଲାସ୍କା ସମେତ କିଛି ଅଞ୍ଚଳ ପାଇଁ ସୁନାମି ପରାମର୍ଶ ଜାରି କରିଛି। ଆମେରିକା ସୁନାମି ସତର୍କତା ପ୍ରଣାଳୀ ଆଗାମୀ ତିନି ଘଣ୍ଟା ମଧ୍ୟରେ ରୁଷ ଏବଂ ଜାପାନର କିଛି ଉପକୂଳରେ ବିପଦପୂର୍ଣ୍ଣ ସୁନାମି ଲହରୀ ଆସିବା ନେଇ ସତର୍କ କରାଇଛି। ଏହା ବ୍ୟତୀତ, ଆମେରିକାର ଗୁଆମ ଦ୍ୱୀପ ଏବଂ ମାଇକ୍ରୋନେସିଆର ଅନ୍ୟାନ୍ୟ ଦ୍ୱୀପପୁଞ୍ଜ ପାଇଁ ସୁନାମି ସତର୍କତା ଜାରି କରାଯାଇଛି।
ଅଧିକ ପଢ଼ନ୍ତୁ: ହିମାଚଳରେ ବର୍ଷା ବିତ୍ପାତ: ୩୫୭ଟି ରାସ୍ତା ବନ୍ଦ