ନୂଆଦିଲ୍ଲୀ: ହମାସ ଦ୍ୱାରା ଇସ୍ରାଏଲ ଆକ୍ରମଣକୁ ଏକ ବର୍ଷ ପୂରିଛି । ଯୁଦ୍ଧ ଏବେ ଜାରି ରହିଛି ଏବଂ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଆକ୍ରମଣର ବର୍ଷ ପୂର୍ତ୍ତିରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ବିଜୟର ପଣ କରିଛନ୍ତି । ଗାଜାପଟ୍ଟି ଓ ଲେବାନନରେ ଚାଲିଥିବା ଲଢେଇ ମଧ୍ୟରେ ନେତନ୍ୟାହୁ ସେନାକୁ କହିଛନ୍ତି ଯେ, ଆମକୁ ଜିତିବାକୁ ପଡିବ । ଏପରିକି ଇରାନ ଉପରେ ଆକ୍ରମଣକ କରିବାକୁ ଇସ୍ରାଏଲ ପ୍ରସ୍ତୁତି କରୁଛି । ହିଜବୁଲ୍ଲାର ପ୍ରମୁଖ ସୈୟଦ ହସନ ନସରଲ୍ଲା ଓ ହମାସ ମୁଖ୍ୟ ଇସମାଇଲ ହନିୟେହର ନିହତ ପରେ ପ୍ରତିଶୋଧ ପରାୟଣ ହୋଇ ଇରାନ ଇସ୍ରାଏଲ ଉପରେ ୧୮୦ କ୍ଷେପଣାସ୍ତ୍ର ମାଡ କରିଛି ।
ବଢୁଥିବା ସଂଘର୍ଷରେ ଆମେରିକା ସାମିଲ ହେବା ଯୁଦ୍ଧ ଆଶଙ୍କାକୁ ଆହୁରି ବଢାଇ ଦେଇଛି । ଆମେରିକା ଇସ୍ରାଏଲକୁ ସାମରିକ ଓ କୂଟନୈତିକ ସମର୍ଥନ ଦେଇଛି । ଏହା ସହିତ ଆମେରିକାର ସହଯୋଗୀ ଆରବ ଦେଶ ଏହି ସଂଘର୍ଷରେ ସାମିଲ ହେବାର ବିପଦ ରହିଛି । ଯଦି ଏମିତି ହୁଏ ତେବେ ବିଶ୍ୱରେ ଯୁଦ୍ଧର ଆଉ ଏକ ମୋର୍ଚ୍ଚା ଖୋଲିବାର ସମ୍ଭାବନା ରହିଛି । ସିରିଆ, ଇରାକ ଓ ୟମନରେ ଇରାନର ସହଯୋଗୀ ଆତଙ୍କବାଦୀ ଗ୍ରୁପ ସହ ସାମିଲ ହୋଇ ଇସ୍ରାଏଲ ବିରୋଧରେ ଲଢିବାକୁ ପ୍ରସ୍ତୁତି କରୁଛନ୍ତି ।
ଇସ୍ରାଏଲ ବେରୁତର ଦକ୍ଷିଣୀ ଉପନଗରରେ ରରିବାର ଆକ୍ରମଣ ଜାରି ରଖିଛି । ଇରାନ ସମର୍ଥିତ ଏହି ଗ୍ରୁପର ଠିକଣାକୁ ଟାର୍ଗେଟ୍ କରି ଚାଲିଛି ଇସ୍ରାଏଲ । ଆଇଡିଏଫ କହିଛି, ହିଜବୁଲ୍ଲାର ଗୁଇନ୍ଦା ମୁଖ୍ୟାଳୟ ଉପରେ ମଧ୍ୟ ଆକ୍ରମଣ ହୋଇଛି । ଅନ୍ୟପଟେ ହିଜବୁଲ୍ଲା ପକ୍ଷରୁ ହାଇଫାର ଦକ୍ଷିଣରେ ସ୍ଥିତ ମିଲିଟାରୀ ବେସକୁ ଟାର୍ଗେଟ୍ କରାଯାଇଥିବା କୁହାଯାଇଛି । ଆକ୍ରମଣକୁ ଇସ୍ରାଏଲ ସ୍ୱୀକାର କରିବା ସହ ଏଥିରେ ୧୦ ଜଣ ଆହତ ହୋଇଥିବା କୁହାଯାଇଛି ।