ୱାଶିଂଟନ୍: ଭାରତୀୟ ସମୟ ଅନୁସାରେ ୬ ନଭେମ୍ବର ୨୦୨୪ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବ। ଆମେରିକାର ଅନେକ ରାଜ୍ୟରେ ନଭେମ୍ବର ୬ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମତଦାନ ହେବ। ଅନିଶ୍ଚିତତା ଓ ଧ୍ରୁବୀକରଣ ମଧ୍ୟରେ ଆମେରିକା ନିର୍ବାଚନ ୨୦୨୪ ଅନୁଷ୍ଠିତ ହେଉଛି। ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ୍ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଅନେକ ସଂସ୍ଥା ପୂର୍ବାନୁମାନ କରିଛନ୍ତି। ତେବେ ରିପୋର୍ଟ ଲେଖାଯିବା ବେଳକୁ ଥିବା ଟ୍ରେଣ୍ଡ ଅନୁସାରେ ରିପ୍ଲବିକ୍ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ ଆଗୁଆ ଅଛନ୍ତି। ୨୦୨୦ନିର୍ବାଚନରେ ଟ୍ରମ୍ପ ପରାଜିତ ହୋଇଥିଲେ।
ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ଆମେରିକା ନିର୍ବାଚନରେ ବିଜୟ ସହ ହ୍ୱାଇଟ ହାଉସକୁ ଫେରିପାରନ୍ତି। ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୭୮ ଓ ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସଙ୍କୁ ୨୬୦ ଇଲେକ୍ଟୋରାଲ କଲେଜ ଭୋଟ୍ ମିଳିବ ବୋଲି ନ୍ୟୁୟର୍କ ଟାଇମ୍ସ ପୂର୍ବାନୁମାନ କରିଛି। ଆମେରିକାରେ ରାଷ୍ଟ୍ରପତି ହେବାକୁ ହେଲେ ଜଣେ ପ୍ରାର୍ଥୀଙ୍କୁ ଅତି କମରେ ୨୭୦ ଇଲେକ୍ଟୋରାଲ କଲେଜ ଭୋଟ୍ ଦରକାର।
ଫକ୍ସ ନ୍ୟୁଜ୍ ଅନୁଯାୟୀ, ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବେ ଆଗୁଆ ଅଛନ୍ତି। ଟ୍ରମ୍ପଙ୍କ ପାଖରେ ୨୩୦ ଇଲେକ୍ଟୋରାଲ କଲେଜ ଭୋଟ ଥିବା ବେଳେ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କ ପାଖରେ ୧୭୯ ଇଲେକ୍ଟୋରାଲ କଲେଜ ଭୋଟ ରହିଛି।
ଆମେରିକାର ୭ଟି ରାଜ୍ୟକୁ ସ୍ୱିଙ୍ଗ ଷ୍ଟେଟ, ପେନସିଲଭାନିଆ, ମିଚିଗାନ, ୱିସକନସିନ, ଜର୍ଜିଆ, ନେଭାଡା, ଆରିଜୋନା ଓ ନର୍ଥ କାରୋଲିନା କୁହାଯାଏ। ସଦ୍ୟତମ ସର୍ଭେ ଅନୁଯାୟୀ ଟ୍ରମ୍ପ ଜର୍ଜିଆ, ନର୍ଥ କାରୋଲିନା, ପେନସିଲଭାନିଆ ଏବଂ ୱିସ୍କନ୍ସିନରେ ଆଗୁଆ ଅଛନ୍ତି। ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ୍ ମିଚିଗାନ୍ ଓ ଆରିଜୋନାରେ ଆଗୁଆ ଅଛନ୍ତି। ନେଭାଡାର ଫଳାଫଳ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।
ଆମେରିକା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି। ଆମେରିକୀୟ ନେଟୱାର୍କର ରିପୋର୍ଟ ଅନୁଯାୟୀ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସଙ୍କ ଠାରୁ ଆଗରେ ଅଛନ୍ତି। ଇତିମଧ୍ୟରେ ଆମେରିକାର ଅନେକ ରାଜ୍ୟରେ ଭୋଟ ଗଣତି ଆରମ୍ଭ ହୋଇନାହିଁ। ଏଥିରେ ଆଲାସ୍କା, କାଲିଫର୍ଣ୍ଣିଆ, ହାୱାଇ, ଇଡାହୋ, ନେଭାଡା, ଓରେଗନ, ୟୁଟା ଓ ୱାଶିଂଟନ ରାଜ୍ୟ ଅନ୍ତର୍ଭୁକ୍ତ।
ଅଧିକ ପଢ଼ନ୍ତୁ: ବୋମା ଧମକ ମିଳିବା ପରେ କାହା ଉପରେ ସନ୍ଦେହ କରୁଛି ଏଫବିଆଇ?