ନୂଆଦିଲ୍ଲୀ: ଆମେରିକାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ବିଦେଶୀ ଆଇଟି ପ୍ରଫେସନାଲ ଓ ବିଶେଷ କରି ଭାରତୀୟଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। H-1B ଭିସା ଫି’ ବୃଦ୍ଧି ମାମଲାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନକୁ କୋର୍ଟରୁ ଏକ ଶକ୍ତ ଧକ୍କା ଲାଗିଛି। ଟ୍ରମ୍ପ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ୧ ଲକ୍ଷ ଆମେରିକୀୟ ଡଲାର (ପ୍ରାୟ ୮୩ ଲକ୍ଷ ଟଙ୍କା)ର ନୂତନ H-1B ଭିସା ଶୁଳ୍କକୁ ବୋଷ୍ଟନର ଏକ ଅଦାଲତ ସମ୍ପୂର୍ଣ୍ଣ ବେଆଇନ ଦର୍ଶାଇ ରଦ୍ଦ କରିଦେଇଛନ୍ତି।
କୋର୍ଟ କହିଲେ– ଏହା ଫି’ ନୁହେଁ, ବେଆଇନ ଟ୍ୟାକ୍ସ
ବୋଷ୍ଟନ କୋର୍ଟର ଜଜ୍ ଲିଓ ସୋରୋକିନ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଖାରଜ କରିଛନ୍ତି। ଜଜ୍ଙ୍କ କହିବା ଅନୁଯାୟୀ, ପ୍ରଶାସନ ପକ୍ଷରୁ ଲଗାଯାଇଥିବା ଏହି ମାତ୍ରାଧିକ ଫି’ ପ୍ରକୃତରେ ଏକ ‘ବେଆଇନ ଟ୍ୟାକ୍ସ’ ବା ବେଆଇନ କର ସଦୃଶ ଥିଲା, ଯାହାର କୌଣସି ଆଇନଗତ ଆଧାର ନାହିଁ।
ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ମାସରେ ଟ୍ରମ୍ପ ପ୍ରଶାସନ H-1B ଭିସା ଉପରେ ଏହି ବଡ଼ ଧରଣର ଶୁଳ୍କ ବୃଦ୍ଧି ଘୋଷଣା କରିଥିଲା। ଏହାକୁ ବିରୋଧ କରି ୨୦ଟି ଡେମୋକ୍ରେଟିକ୍ ଶାସିତ ରାଜ୍ୟର ଆଟର୍ଣ୍ଣି ଜେନେରାଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ବିଚାର କରି କୋର୍ଟ ଏହି ନୂଆ ଶୁଳ୍କକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ହ୍ରାସ ପାଇଥିଲା ଭିସା ଆବେଦନ ସଂଖ୍ୟା
ପୂର୍ବରୁ ଆମେରିକା କମ୍ପାନୀଗୁଡ଼ିକୁ ବିଦେଶୀ କର୍ମଚାରୀଙ୍କ H-1B ଭିସା ପାଇଁ ମାତ୍ର $୨,୦୦୦ ରୁ $୫,୦୦୦ ଡଲାର ଫି’ ଦେବାକୁ ପଡ଼ୁଥିଲା। ମାତ୍ର ଟ୍ରମ୍ପଙ୍କ ନୂଆ ନିୟମ ଯୋଗୁଁ ଏହି ଖର୍ଚ୍ଚ ଆକାଶଛୁଆଁ ହୋଇଯାଇଥିଲା।
କୋର୍ଟଙ୍କ କହିବା ଅନୁସାରେ, ଏହି ଅହେତୁକ ଫି’ ବୃଦ୍ଧି ଯୋଗୁଁ ଆବେଦନକାରୀ ଓ ନିଯୁକ୍ତିଦାତା କମ୍ପାନୀଗୁଡ଼ିକ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଥିଲା। ଗତ ମାର୍ଚ୍ଚ ମାସରେ ପ୍ରଶାସନ ପକ୍ଷରୁ ଦାଖଲ କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୧୫ ତାରିଖ ସୁଦ୍ଧା ଆମେରିକା ଇମିଗ୍ରେସନ ବିଭାଗକୁ ୧ ଲକ୍ଷ ଡଲାର ବିଶିଷ୍ଟ ମାତ୍ର ୮୫ଟି ଆବେଦନ ଶୁଳ୍କ ମିଳିଥିଲା।you