ବିଶ୍ୱର ସବୁଠାରୁ ଶୁଷ୍କତମ ସ୍ଥାନରେ ଦୃଶ୍ୟମାନ ହୋଇଛି ଏକ ବିରଳ ଘଟଣା। ସବୁଜ ହେଉଛି ସାହାରା ମରୁଭୂମି। ବିଶ୍ୱର ସବୁଠାରୁ ଶୁଷ୍କ ଓ ଜନବସତି ଶୂନ୍ୟ ସ୍ଥାନରେ ଏବେ ଛୋଟ ଛୋଟ ଜଳାଶୟ ସହିତ ତାଳ ବୃକ୍ଷ ଗୁଡିକ ଦେଖିବାକୁ ମିଳୁଛି। ହଠାତ ଏକ ବୃଷ୍ଟିପାତ ସବୁକିଛି ବଦଳାଇ ଦେଇଛି। ଏହି ବୃଷ୍ଟିପାତ ଯୋଗୁଁ ମରୁଭୂମିଟି ଏକ ସୁନ୍ଦର ସବୁଜିମାରେ ପରିପୂର୍ଣ ହୋଇଛି।
ସାଟେଲାଇଟ ଦ୍ୱାରା ଉତ୍ତୋଳିତ ଫୋଟୋ ଗୁଡ଼ିକରୁ ଜଣା ପଡୁଛି ଯେ ଅର୍ଧ ଶତକ ତଥା ତାଠାରୁ ଉର୍ଧ୍ଵ ସମୟ ଧରି ଶୁଷ୍କ ରହିଥିବା ଇରୁକା ହ୍ରଦ ବର୍ତ୍ତମାନ ଜଳରେ ପରିପୂର୍ଣ ହେବା ସହ ତା' ଚାରିପାର୍ଶ୍ୱରେ ପୁନଶ୍ଚ ନୂତନ ଉଦ୍ଭିଦ ଓ ତଥା ଜନଜୀବନ ସୁରାକର ପୁନଃ ସ୍ଥାପନା ହେଉଛି।
ସାଧାରଣତଃ ମରୋକ୍କୋର ଦକ୍ଷିଣ ପୂର୍ବାଞ୍ଚଳରେ ଗ୍ରୀଷ୍ମ ଋତୁର ଶେଷାର୍ଦ୍ଧରେ ବୃଷ୍ଟିପାତ ଦେଖିବାକୁ ମିଳିନଥାଏ। ଏହି ସ୍ଥାନରେ ୨୫୦ ମିଲିମିଟରରୁ କମ ବୃଷ୍ଟିପାତ ଦେଖିବାକୁ ମିଳିଥାଏ। ମାତ୍ର ସେପ୍ଟେମ୍ବର ମାସର ଦୁଇ ଦିନ ମଧ୍ୟରେ ହୋଇଥିବା ବର୍ଷା, ବାର୍ଷିକ ହାରାହାରି ବୃଷ୍ଟିପାତକୁ ଟପିଯାଇଛି। ପାଣିପାଗ ବିଜ୍ଞାନୀମାନେ ଏହି ଘଟଣାକୁ ଏକ ବିରଳ ଘଟଣା ବୋଲି କହିବା ସହ ପରାମର୍ଶ ଦେଇଛନ୍ତି ଯେ ଏହି ବର୍ଷା ଆସନ୍ତା ମାସ ଏବଂ ବର୍ଷ ମଧ୍ୟରେ ଏହି ଅଞ୍ଚଳର ପାଣିପାଗକୁ ବଦଳାଇପାରେ। ଯେହେତୁ ବାୟୁ ଅଧିକ ଆର୍ଦ୍ରତା ବଜାୟ ରଖିଛି, ବାଷ୍ପୀକରଣ ଅଧିକ ପରିମାଣରେ ଝଡ ସୃଷ୍ଟି କରିପାରେ ବୋଲି ପାଣିପାଗ ବିଜ୍ଞାନୀ ସ୍ପଷ୍ଟ କରିଛନ୍ତି |
ଲଗାତାର ଛଅ ବର୍ଷର ମରୁଡ଼ି ପରେ କୃଷକମାନେ ଏହି ଅଞ୍ଚଳକୁ ତ୍ୟାଗ କରିଥିଲେ। ଏହି ବର୍ଷା ମରୁଭୂମି ଅଞ୍ଚଳରେ ଜୀବନ ପାଇଁ ଖୁବ ଗୁରୁତ୍ୱପୂର୍ଣ ସାବ୍ୟସ୍ତ ହୋଇପାରେ। ଏତେ ବର୍ଷର ମରୁଡି ପରେ ଏହି ଅଞ୍ଚଳରେ ହୋଇଥିବା ବର୍ଷା ପୁନର୍ବାର ଭୂତଳ ଜଳର ଅଭାବକୁ ପୂର୍ଣ କରିବ। ଏତେ ପରିମାଣର ବର୍ଷା ହେଲା ପରେ ମଧ୍ୟ ମରୁଡ଼ି ଉପରେ ଏହାର ଦୀର୍ଘମିଆଦି ପ୍ରଭାବ ନେଇ ଅନିଶ୍ଚିତତା ଦେଖାଦେଇଛି।