ନୂଆଦିଲ୍ଲୀ: ପାକିସ୍ତାନରେ ଛୋଟ ଶିଶୁଙ୍କୁ ପୋଲିଓ ବୁନ୍ଦା ପିଆଇବାକୁ ଡରୁଛନ୍ତି ପାକିସ୍ତାନୀ । ଚରମପନ୍ଥୀଙ୍କ ପ୍ରଭାବ କାରଣରୁ ପଞ୍ଜାବରୁ ନେଇ ଖୈବର ପଖତୁନଖୱା ପର୍ଯ୍ୟନ୍ତ ପୋଲିଓ ଟିକା ଦେଉଥିବା ଦଳକୁ ସର୍ବଦା ହିଂସାର ଶିକାର ହେବାକୁ ପଡୁଛି । ଏବେ ଗିଲଗିଟ ବାଲିଷ୍ଟାନରେ ମଧ୍ୟ ପୋଲିଓର ଏକ କେସ ସାମ୍ନାକୁ ଆସିଛି । ଏହା ସହିତ ଏ ପର୍ଯ୍ୟନ୍ତ ପିଓକେ ଓ ପାକିସ୍ତାନରେ ଚଳିତ ବର୍ଷ ୧୧ ଜଣ ପୋଲିଓର ଶିକାର ହୋଇ ସାରିଛନ୍ତି ।
ଏକ ବର୍ଷରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଅତି କମରେ ଥରୁଟିଏ ପୋଲିଓ ବୁନ୍ଦା ଦେବା ନିହାତି ଆବଶ୍ୟକ । ଏହି ଅଭିଯାନରେ ପିଲାଙ୍କୁ ଦୁଇ ବୁନ୍ଦା ପୋଲିଓ ଟିକା ଦିଆଯାଏ । ଏଥିରେ ଭାରତ ସମେତ ସାରା ଦୁନିଆର ଦେଶ ପୋଲିଓରୁ ମୁକ୍ତ ହୋଇଛନ୍ତି । ତଥାପି ପାକିସ୍ତାନ, ଆଫଗାନିସ୍ତାନ ପରି ଦେଶରେ ପୋଲିଓ ଟିକାକୁ ତୀବ୍ର ବିରୋଧ କରାଯାଉଛି ।
ବିଶେଷ କରି ଖୈବର ପଖତୁନଖୱା, ବଲୁଚିସ୍ତାନ ଓ ସିନ୍ଧ ପରି ପାକିସ୍ତାନୀ ରାଜ୍ୟଗୁଡିକରେ ପୋଲିଓ ଟିମକୁ ଜୀବନରୁ ମାରି ଦେବାକୁ ଧମକ ମିଳି ଆସିଛି । ଅନେକ ଥର ପୋଲିଓ ଟିମ ଉପରେ ହମଲା ହୋଇଛି ଏବଂ ଅନେକଙ୍କ ମୃତ୍ୟୁ ଘଟିଛି । ଗତ ସପ୍ତାହରେ ପୋଲିଓ ଟିମକୁ ସୁରକ୍ଷା ଦେଉଥିବା ଜଣେ ପୋଲିସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିଲା । ଏବେ ଏହାର ପରିଣତି ପାକିସ୍ତାନକୁ ଭୋଗିବାକୁ ପଡୁଛି । ଚଳିତ ବର୍ଷ ୧୧ ଜଣଙ୍କ ମୃତ୍ୟୁ ଘଟି ସାରିଛି । ଗତ ବର୍ଷ ଏହି ସଂଖ୍ୟା ୭୦ ଥିଲା । ଏହିପରି ଗତ ଦେଢ ବର୍ଷ ଭିତରେ ପାକିସ୍ତାନରେ ୮୧ ଜଣ ପୋଲିଓର ଶିକାର ହୋଇ ସାରିଛନ୍ତି ।
ସୂଚନାଯୋଗ୍ୟ, ସମଗ୍ର ଦୁନିଆରେ ପାକିସ୍ତାନ ଓ ଆଫଗାନିସ୍ତାନ ଏମିତି ଦୁଇଟି ଦେଶ, ଯେଉଁଠି ପୋଲିଓ ଏବେ ବି ଏକ ମହାମାରୀ । ଏହାର ମୁକାବିଲା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଠୁ ନେଇ ସରକାର ପର୍ଯ୍ୟନ୍ତ ସମସ୍ତେ ପ୍ରୟାସ କରୁଛନ୍ତି । ମାତ୍ର ପରିଣାମ ଆଶାନୁରୂପ ବାହାରି ପାରିନି । ଓଲଟା ପୋଲିଓ ଟିମ୍ ଉପରେ ଆକ୍ରମଣ କରାଯାଉଛି ।