ଶ୍ରୀନଗର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ଜମ୍ମୁ କଶ୍ମୀରର ଶ୍ରୀନଗରସ୍ଥିତ ପ୍ରସିଦ୍ଧ ଡାଲ୍ ହ୍ରଦରେ ସେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ସମାଜର ବିଭିନ୍ନ ବର୍ଗର ପ୍ରାୟ ୭୦୦୦ ଲୋକ ମୋଦୀଙ୍କ ସହ ଯୋଗ କରିଛନ୍ତି।
ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲା ପରେ ପ୍ରଥମ ଥର ଗତକାଲି ଜମ୍ମୁ କଶ୍ମୀର ଗସ୍ତ କରିଛନ୍ତି। ଆଜି ସେ ଭାରତ ସମେତ ପୂରା ବିଶ୍ବକୁ ସମ୍ବୋଧିତ କରି କହିଛନ୍ତି, ବିଶ୍ବରୁ ଯେଉଁଠିକୁ ଯାଉଛି, ଯୋଗ ସଂପର୍କରେ ଆଲୋଚନା ହେଉଛି। ବିଶ୍ବର ଜନତା ଯୋଗ ଶିଖିବାକୁ ଭାରତ ଆସୁଛନ୍ତି। ବିଶ୍ବରେ ଯୋଗ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯୋଗ ପ୍ରତି ଲୋକଙ୍କର ଆକର୍ଷଣ ବଢ଼ିଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୨୦୧୪ରେ ସଂଯୁକ୍ତ ରାଷ୍ଟ୍ରରେ ଅନ୍ତର୍ଜାତୀୟ ଯୋଗ ଦିବସ ନେଇ ପ୍ରସ୍ତାବ ରଖିଥିଲି। ଭାରତର ଏହି ପ୍ରସ୍ତାବକୁ ସେତେବେଳେ ୧୭୭ଟି ରାଷ୍ଟ୍ର ସମର୍ଥନ ଦେଇଥିଲେ। ସେହିଦିନଠାରୁ ଯୋଗ ନୂଆନୂଆ ରେକର୍ଡ କରୁଛି। ୨୦୧୫ରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ଯୋଗରେ ୩୫ ହଜାର ଲୋକ ଯୋଗ କରିଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି, ମୋତେ କଶ୍ମୀର ଆସିବାକୁ ସୁଯୋଗ ମିଳିଛି। ଆମକୁ ଯୋଗରୁ ଯେଉଁ ଶକ୍ତି ମିଳୁଛି, ଶ୍ରୀନଗରରୁ ଏହା ଅନୁଭବ କରୁଛି। ଦେଶର ସମସ୍ତ ନାଗରିକ ଓ ବିଶ୍ବର କୋଣଅଣୁକୋଣରେ ଯୋଗ କରୁଥିବା ଲୋକଙ୍କୁ କଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଉଛି।
ଏହା ପୂର୍ବରୁ ଉପରାଜ୍ୟପାଳ ଶ୍ରୀ ସିହ୍ନା ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ପୂରା କଶ୍ମୀର ଉପତ୍ୟାକାକୁ ଭଲ ପାଆନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ କଶ୍ମୀରବାସୀଙ୍କ ସ୍ବତନ୍ତ୍ର ସଂଯୋଗ ରହିଛି। ଏହାର ଫଳ ସେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସରେ ଅଂଶଗ୍ରହଣ କରିବା ପାଇଁ କଶ୍ମୀରକୁ ଚୟନ କରିଛନ୍ତି। ବିଗତ ୧୦ ବର୍ଷ ହେଲା ଯୋଗକୁ କେବଳ ଭାରତ ନୁହେଁ, ବରଂ ପୂରା ବିଶ୍ବ ଗ୍ରହଣ କରିଛି। ୨୩.୫ କୋଟିରୁ ଅଧିକ ଲୋକ ଯୋଗ କରିଛନ୍ତି।
ଜମ୍ମୁ କଶ୍ମୀର ଉପରାଜ୍ୟପାଳ କହିଛନ୍ତି, ଗତବର୍ଷ ଜମ୍ମୁ କଶ୍ମୀରରେ ଯୋଗ ଦିବସ ପାଳନ କରାଯାଇଥିଲା। ଏଥିରେ ୨୩ ଲକ୍ଷ ଲୋକ ଅଂଶଗ୍ରହଣ କରିଥିଲେ। ଦିନକୁ ଦିନ ଯୋଗ ସହିତ ଅଧିକ ଲୋକ ଯୋଡ଼ି ହେଉଛନ୍ତି। ଚିନ୍ତାମୁକ୍ତ ରହିବା ପାଇଁ ଲୋକେ ଯୋଗକୁ ଗ୍ରହଣ କରୁଛନ୍ତି। କଶ୍ମୀର ଲୋକଙ୍କ ସହିତ ସଂପର୍କ ନେଇ ଶ୍ରୀ ସିହ୍ନା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଗତ ମାର୍ଚ୍ଚ ମାସରେ ବକ୍ସି ଷ୍ଟାଡିୟମରେ ଜନସଭା କରିଥିଲେ। ଜମ୍ମୁ କଶ୍ମୀର ଲୋକ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ବ୍ୟବଧାନ ଥିବାକୁ ମୁଁ ବିଶ୍ବାସ କରେ ନାହିଁ। ତିନି ମାସ ପୂର୍ବରୁ ସେ ଯେତେବେଳେ ବକ୍ସି ଷ୍ଟାଡିୟମରେ ସମ୍ବୋଧିତ କରିଥିଲେ, ସେହି ସମୟରେ ଜନସମୁଦ୍ର ଦେଖାଯାଇଥିଲା।