ଢାକା/କୋଲକାତା: ବାଂଲାଦେଶର ଦୁଇଟି ଇସ୍କନ୍ ମନ୍ଦିରରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଇସ୍କନ୍ କୋଲକାତାର ଉପାଧ୍ୟକ୍ଷ ରାଧାରମଣ ଦାସ କହିଛନ୍ତି ଯେ ଶନିବାର ଭୋର ପ୍ରାୟ ୩ଟା ବେଳେ ଦୁର୍ବୃତ୍ତମାନେ ଧଉର ଗାଁରେ ଥିବା ଶ୍ରୀଶ୍ରୀ ରାଧାକୃଷ୍ଣ ମନ୍ଦିର ଓ ଶ୍ରୀଶ୍ରୀ ମହାଭାଗ୍ୟ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ନିଆଁ ଲଗାଇ ଦେଇଥିଲେ। ଏହି ଦୁଇଟି ମନ୍ଦିର ଇସ୍କନର ହରେ କୃଷ୍ଣ ନାମହଟ୍ଟା କେନ୍ଦ୍ର ଅଧୀନରେ ରହିଛି।
ରାଧାରମଣ କହିଛନ୍ତି ଯେ ନିଆଁ ଲାଗିବା ପାଇଁ ପେଟ୍ରୋଲ କିମ୍ବା ଅନ୍ୟ କୌଣସି ଦହନଶୀଳ ପଦାର୍ଥ ବ୍ୟବହାର କରାଯାଇଥିଲା। ମନ୍ଦିରରେ ସ୍ଥାପିତ ଦେବଦେବୀଙ୍କ ମୂର୍ତ୍ତି ଓ ଅନ୍ୟାନ୍ୟ ଜିନିଷ ସମ୍ପୂର୍ଣ୍ଣ ଜଳି ଯାଇଛି। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ଇସ୍କନ ଅନୁଯାୟୀ, ବାଂଲାଦେଶରେ ୧୦୦ରୁ ଅଧିକ ଧାର୍ମିକ କେନ୍ଦ୍ର ରହିଛି, ଯାହାର ୪ ଜଣ ସାଧୁଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି। ଇସ୍କନ୍ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ।
ମନ୍ଦିରରେ ନିଆଁ ଲାଗିବା ଘଟଣାକୁ ବିଜେପି ତୀବ୍ର ନିନ୍ଦା କରିଛି। ପଶ୍ଚିମବଙ୍ଗ ବିଜେପି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି, ଇସ୍କନର ନମହାଟ କେନ୍ଦ୍ରରେ ହୋଇଥିବା ଅଗ୍ନିକାଣ୍ଡକୁ ମୁଁ ଦୃଢ଼ ନିନ୍ଦା କରୁଛି। ଏହା ଅକ୍ଷମୀୟ ଅଟେ। ଦୋଷୀଙ୍କୁ ନ୍ୟାୟ ଦେବା ଏବଂ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା ଦରକାର।
ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିଶ୍ୱ ସମୁଦାୟ ବିରୋଧ କରିବା ଉଚିତ। ତୁରନ୍ତ ମନ୍ଦିର ଉପରେ ଆକ୍ରମଣ ବନ୍ଦ କରାଯାଉ। ଏହା ବନ୍ଦ ନହେବା ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।
ଇସ୍କନର ପୂର୍ବତନ ସଦସ୍ୟ ଚିନ୍ମୟ କ୍ରିଷ୍ଣା ଦାସଗିରଫ ହେବା ପରେ ବାଂଲାଦେଶରେ ସାମ୍ପ୍ରତିକ ଅଶାନ୍ତିକୁ ନେଇ ଆମେରିକୀୟ ସାଂସଦ ରାଜା କୃଷ୍ଣମୂର୍ତ୍ତି ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସେ ବାଂଲାଦେଶ ସରକାରଙ୍କୁ ମାନବିକ ଅଧିକାର ବଜାୟ ରଖିବା, ନିରାପତ୍ତା ସୁନିଶ୍ଚିତ କରିବା ଏବଂ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ଟାର୍ଗେଟ କରି ହିଂସାତ୍ମକ କାର୍ଯ୍ୟକଳାପ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ସେପଟେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ ଆଗାମୀ ଦୁଇ ଦିନ ମଧ୍ୟରେ ୱାଶିଂଟନ ଓ ଶିକାଗୋରେ ଅନେକ ଭାରତୀୟ-ଆମେରିକୀୟ ରାଲି କରିବାକୁ ଯୋଜନା କରୁଛନ୍ତି। ଭାରତୀୟ-ଆମେରିକୀୟମାନେ କହିଛନ୍ତି ଯେ ବାଂଲାଦେଶର ସ୍ଥିତି କେବଳ ଏକ ଆଞ୍ଚଳିକ ସଙ୍କଟ ନୁହେଁ। ଗଣହତ୍ୟା ମାନବିକତା ବିରୁଦ୍ଧରେ ଏକ ଅପରାଧ।
ଅଧିକ ପଢ଼ନ୍ତୁ: ଚଳଚ୍ଚିତ୍ର ନିର୍ମାତା ସୁଭାଷ ଘାଇ ଅସୁସ୍ଥ