ନୂଆଦିଲ୍ଲୀ: ହଜାର ହଜାର ବର୍ଷ ପୂର୍ବରୁ ପୃଥିବୀରୁ ଲୋପ ପାଇଯିଥିବା ଏକ ପଶୁକୁ ପୁଣି ଥରେ ଫେରାଇ ଆଣିଛନ୍ତି ବୈଜ୍ଞାନିକ । ପ୍ରାଚୀନ ଡିଏନଏ, କ୍ଲୋନିଂ ଏବଂ ଜିନ୍-ସମ୍ପାଦନା ପ୍ରଯୁକ୍ତି ସାହାଯ୍ୟରେ ବୈଜ୍ଞାନିକମାନେ ପ୍ରାୟ ୧୨,୫୦୦ ବର୍ଷ ପୂର୍ବେ ବିଲୁପ୍ତ ହୋଇଯାଇଥିବା ଡାଏର ଓ୍ବଲ୍ଫ ବା ଗଧିଆଙ୍କୁ ଫେରାଇ ଆଣିଛନ୍ତି। ବୈଜ୍ଞାନିକମାନେ ଏହି ସଫଳତାକୁ ‘ବିଶ୍ବର ପ୍ରଥମ de-extinction (ବିଲୁପ୍ତ ଜୀବର ପୁନର୍ଜୀବନ)’ ଭାବରେ ବର୍ଣ୍ଣନା କରିଛନ୍ତି। ପ୍ରାୟ ୧୨,୫୦୦ ବର୍ଷ ପୂର୍ବେ ଏକ ବିଲୁପ୍ତ କୁକୁର ପ୍ରଜାତି, ଡାଏର ୱଲ୍ଫ ଆମେରିକାରେ ବିଚରଣ କରୁଥିଲେ।
ଐତିହାସିକ ତଥ୍ୟ ଅନୁଯାୟୀ, ସେମାନେ ସବୁଠାରୁ ବଡ଼ ଆଧୁନିକ ଧୂସର ଗଧିଆଙ୍କ ଭଳି ପ୍ରଭାବଶାଳୀ ଆକାର ପାଇଁ ଜଣାଯାଉଥିଲେ । କଲୋସାଲ୍ ସିଇଓ ବେନ୍ ଲାମ୍ କହିଛନ୍ତି, ‘ଆମ ଦଳ ୧୩,୦୦୦ ବର୍ଷ ପୁରୁଣା ଦାନ୍ତ ଏବଂ ୭୨,୦୦୦ ବର୍ଷ ପୁରୁଣା ଖପୁରୀରୁ ଡିଏନଏ ନେଇ ସୁସ୍ଥ ଗଧିଆ ଛୁଆ ତିଆରି କରିଛନ୍ତି ।ସେ ପୂର୍ବରୁ କହିଥିଲେ, 'ଯେକୌଣସି ଉନ୍ନତ ପ୍ରଯୁକ୍ତି ଯାଦୁଠାରୁ କମ୍ ନୁହେଁ।’ ସୂଚାଯୋଗ୍ୟ ଯେ, କଲୋସାଲ୍ କମ୍ପାନି ଦ୍ବାରା ବିଲୁପ୍ତ ଗଧିଆ ପ୍ରଜାତିକୁ ପୁଣି ଥରେ ପୃଥିବୀପୃଷ୍ଠକୁ ଫେରାଇ ଅଣାଯାଇଛି ।
କମ୍ପାନି ଏହାର ୱେବସାଇଟରେ କହିଛି ଯେ, ମାନବ ଇତିହାସରେ ପ୍ରଥମ ଥର ପାଇଁ କୋଲୋସାଲ ଅକ୍ଟୋବର ୧, ୨୦୨୪ରେ de-extinction ସାଇନ୍ସ ମାଧ୍ୟମରେ ବିଲୁପ୍ତ ହୋଇଥିବା ପ୍ରଜାତିକୁ ସଫଳତାର ସହିତ ପୁନରୁଦ୍ଧାର କରିଛି। ୧୦ ହଜାରରୁ ଅଧିକ ବର୍ଷ ଅନୁପସ୍ଥିତି ପରେ ବୈଜ୍ଞାନିକମାନେ ଗଧିଆକୁ ଇକୋସିଷ୍ଟମର ଉପଯୁକ୍ତ ସ୍ଥାନକୁ ଫେରାଇ ଆଣିବା ଗର୍ବର ବିଷୟ ।
କଲୋସାଲର ମୁଖ୍ୟ ବୈଜ୍ଞାନିକ ବେଥ୍ ଶାପିରୋ କହିଛନ୍ତି ଯେ, ବୈଜ୍ଞାନିକମାନେ ଏକ ଜୀବନ୍ତ ଧୂସର ଗଧିଆଠାରୁ ରକ୍ତ କୋଷିକା ନେଇଥିଲେ ଏବଂ ୨୦ଟି ଭିନ୍ନ ସ୍ଥାନରେ ଜେନେଟିକାଲ୍ ପରିବର୍ତ୍ତନ କରିବା ପାଇଁ CRISPR ବ୍ୟବହାର କରିଥିଲେ । CRISPR (କ୍ଲଷ୍ଟର୍ଡ ରେଗୁଲାରଲି ଇଣ୍ଟରସ୍ପେସଡ୍ ସର୍ଟ ପାଲିଣ୍ଡ୍ରୋମିକ୍ ରିପିଟ୍ସ) ଏକ ଜିନ୍ ଏଡିଟିଂ କୌଶଳ।
ଶାପିରୋ କହିଛନ୍ତି, ବୈଜ୍ଞାନିକମାନେ ତା’ପରେ ସେହି ଜେନେଟିକ୍ ସାମଗ୍ରୀକୁ ଏକ ଗଧିଆର ଅଣ୍ଡ କୋଷରେ ସ୍ଥାନାନ୍ତରିତ କରିଥିଲେ। ତା'ପରେ ଭ୍ରୁଣଟିକୁ ଏକ ସରୋଗେଟ୍ ଗଧିଆ ଶରୀରରେ ସ୍ଥାନାନ୍ତର କରାଯାଇଥିଲା । ୬୨ ଦିନ ପରେ, ଜେନେଟିକାଲ୍ ପରିବର୍ତ୍ତିତ କୌଶଳରୁ ଡାଏର ୱଲ୍ଫ ସଦୃଶ ଛୁଆ ଜନ୍ମ ହେଲେ।
ସେପଟେ ବୈଜ୍ଞାନିକଙ୍କ ଏଭଳି ଉପଲବ୍ଧିକୁ ନେଇ ଚର୍ଚ୍ଚା ଆଲୋଚନା ମଧ୍ୟରେ ବିଶ୍ବର ଜଣେ ବିଶିଷ୍ଟ ଜୀବ ବିଜ୍ଞାନୀଙ୍କ ମତ ମଧ୍ୟ ଧ୍ୟାନ ଆକର୍ଷଣ କରିଛି । ବଫାଲୋ ବିଶ୍ବବିଦ୍ୟାଳୟର ଜୀବ ବିଜ୍ଞାନୀ ଭିନସେଣ୍ଟ ଲିଞ୍ଚ କହିଛନ୍ତି ଯେ, ଆପଣ ଏକ ଜୀବକୁ ଅନ୍ୟ ଜୀବ ଭଳି ତିଆରି କରିପାରିବେ । କିନ୍ତୁ ବିଲୁପ୍ତ ପ୍ରଜାତିଗୁଡ଼ିକୁ ସମ୍ପୂର୍ଣ୍ଣ ପୁନର୍ଜୀବିତ କରାଯାଇପାରିବ ନାହିଁ।