ନୂଆଦିଲ୍ଲୀ: ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଏବଂ ମାଳଦ୍ୱୀପର ପ୍ରଥମ ମହିଳା ସାଜିଦା ମହମ୍ମଦ ନିଜର ପ୍ରଥମ ଦ୍ୱିପାକ୍ଷିକ ଭାରତ ଗସ୍ତରେ ରବିବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ମୁଇଜ୍ଜୁଙ୍କୁ ସାକ୍ଷାତ କରି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି।
ଜୟଶଙ୍କର ମୁଏଜ୍ଜୁଙ୍କ ସହ ସାକ୍ଷାତ ସମୟରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ଆଲୋଚନା ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ଭାରତ ଗସ୍ତରେ ତାଙ୍କୁ ସ୍ୱାଗତ କରି ସେ ଆନନ୍ଦିତ ବୋଲି ଜୟଶଙ୍କର କହିଛନ୍ତି।
ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ ଏହା ମଧ୍ୟ କହିଛନ୍ତି ଯେ ମାଳଦ୍ୱୀପ କେବେ ବି ଏପରି ନିଷ୍ପତ୍ତି ନେବ ନାହିଁ ଯାହା ଭାରତକୁ ଦୁର୍ବଳ କରିବ କିମ୍ବା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ କ୍ଷତି ପହଞ୍ଚାଇବ। ବର୍ତ୍ତମାନ ସମୟରେ ମାଳଦ୍ୱୀପ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ବହୁତ ଭଲ ଅଛି ବୋଲି ପ୍ରଶ୍ନ ପଚରାଯିବାରୁ ଭାରତ ବିଶ୍ୱାସ କରିପାରିବ ଯେ ମାଳଦ୍ୱୀପ କେବେ ବି ଏପରି କିଛି କରିବ ନାହିଁ ଯାହା ଭାରତର ନିରାପତ୍ତାକୁ ଦୁର୍ବଳ କରିବ ।
ଏହା ଉପରେ ରାଷ୍ଟ୍ରପତି ମୁଇଜ୍ଜୁ କହିଛନ୍ତି ଯେ ଭାରତ ହେଉଛି ଆମର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ । ଦୁଇ ଦେଶ ମଧ୍ୟ ଭଲ ବନ୍ଧୁ ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ସ୍ୱାର୍ଥ ସହିତ ଜଡିତ। ମାଳଦ୍ୱୀପର କୌଣସି ନିଷ୍ପତ୍ତି ଭାରତର ସୁରକ୍ଷାକୁ ପ୍ରଭାବିତ କରିବ ନାହିଁ। ଏଥିସହିତ କୌଣସି ଦେଶ ସହ ଆମର ଆଲୋଚନା ଭାରତ ସହ ଆମର ସମ୍ପର୍କକୁ ଦୁର୍ବଳ କରିବ ନାହିଁ।
ରାଷ୍ଟ୍ରପତି ମୁଇଜ୍ଜୁ ଏହି ଗସ୍ତ ସମୟରେ ତାଙ୍କର ଭାରତୀୟ ସମକକ୍ଷ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ। ଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ତାଙ୍କୁ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସରକାରୀ ନିମନ୍ତ୍ରଣକ୍ରମେ ମୁଇଜୁ ଅକ୍ଟୋବର ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ମୁଇଜ୍ଜୁଙ୍କ ଏହା ହେଉଛି ଦ୍ବିତୀୟ ଭାରତ ଗସ୍ତ।
ନିକଟରେ ଭାରତ ସହ ସମ୍ପର୍କ ଖରାପ ହେବା ପରେ ମୁଇଜ୍ଜୁ ଏକ ସମନ୍ୱୟ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆର୍ଥିକ ସହାୟତା ପାଇଁ ସେ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ଏବଂ ନୂଆଦିଲ୍ଲୀକୁ ମାଲେର ଅନ୍ୟତମ ଘନିଷ୍ଠ ସହଯୋଗୀ ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ।
ଅଧିକ ପଢ଼ନ୍ତୁ: ଓମାନରେ ଭାରତୀୟ ନୌସେନାର ୩ ଜାହାଜ