ନୂଆଦିଲ୍ଲୀ: ଇସ୍କନର ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କୁ ବାଂଲାଦେଶରେ ଜେଲରୁ ବାହାରିବା ପାଇଁ ଅପେକ୍ଷା କରିବାକୁ ପଡିବ । ମଙ୍ଗଳବାର ମାମଲାର ଶୁଣାଣି ହୋଇଥିଲେ ହେଁ ତାଙ୍କ ପକ୍ଷରୁ କେସ୍ ଲଢିବା ପାଇଁ କୌଣସି ଓକିଲ ଆସି ନ ଥିଲେ । ଚରମପନ୍ଥୀଙ୍କ ଡରରେ ଓକିଲମାନେ ତାଙ୍କ କେସ୍ ନେବାକୁ ଭୟ କରୁଛନ୍ତି । ଏହି କାରଣରୁ ମଙ୍ଗଳବାର ଯେବେ ଶୁଣାଣି ଆରମ୍ଭ ହେଲା ଚିନ୍ମୟଙ୍କ ପକ୍ଷରୁ ଯୁକ୍ତି ବାଢିବା ପାଇଁ କେହି ନ ଥିଲେ । ଫଳରେ ଖଣ୍ଡ ପୀଠ ତାଙ୍କ ଜାମିନ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ୨୦୨୫ ଜାନୁଆରୀ ୨ ତାରିଖ ଧାର୍ଯ୍ୟ କରିଛନ୍ତି ।
ଆଇଏଏନଏସର ରିପୋର୍ଟ ଅନୁସାରେ ସନ୍ଥ ଚିନ୍ମୟ ଦାସଙ୍କ ଜାମିନ ପାଇଁ ଲଢିବାକୁ କୌଣସି ଓକିଲ ପ୍ରସ୍ତୁତ ନାହାନ୍ତି । ଏହା ପୂର୍ବରୁ ତାଙ୍କର ଜଣେ ଓକିଲ ଉପରେ ଆକ୍ରମଣ ହୋଇ ସାରିଛି ଏବଂ ଗୁରୁତର ଅବସ୍ଥାରେ ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି । ବାଂଲାଦେଶ ସମ୍ମିଳିତ ସନାତନି ଜାଗରଣ ଜୋତେର ମୁଖପାତ୍ର ରହିଥିବା ଚିନ୍ମୟ କୃଷ୍ଣ ଦାସଙ୍କୁ ଗତ ସୋମବାର ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯାଇଥିଲା । ସେ ହିନ୍ଦୁ ଓ ଇସ୍କନ ବିରୋଧରେ ଘଟିଥିବା ହିଂସାର ପ୍ରତିବାଦକୁ ନେଇ ଆୟୋଜିତ ଏକ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ । ଏହା ପରେ ତାଙ୍କ ଉପରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇ ବିମାନ ବନ୍ଦରରୁ ଗିରଫ କରାଯାଇଛି ।
ଚିନ୍ମୟ କୃଷ୍ଣ ଦାସଙ୍କ ଉପରେ ଏହି ଧରଣର କାର୍ଯ୍ୟାନୁଷ୍ଠାନକୁ ନେଇ ଭାରତ ସମେତ ପୂରା ଦୁନିଆରେ ବାଂଲାଦେଶର ନିନ୍ଦା କରାଯାଉଛି । କାନାଡା, ଆମେରିକା ପରି ଦେଶରେ ରହୁଥିବା ହିନ୍ଦୁମାନେ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି । ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମାଚାରୀଙ୍କ ବାଂଲାଦେଶରେ ଭଲ ପ୍ରଭାବ ରହିଛି । ସେ ବାଂଲାଦେଶର ଚଟ୍ଟଗାଓଁରେ ଇସ୍କନର ଡିଭିଜନାଲ ପରିଚାଳନା ସଂପାଦକ ଅଛନ୍ତି । ତାଙ୍କ ଓକିଲ ରାମେନ ରୟଙ୍କ ଉପରେ ସୋମବାର ଆକ୍ରମଣ ହୋଇଥିଲା । ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।