କଲମ୍ବୋ, ଜାନୁଆରୀ ୧୯ (ଖବର ଓଡ଼ିଶା): ଶ୍ରୀଲଙ୍କାରେ ଦିନକୁ ଦିନ ଖାଦ୍ୟ ସଂକଟ ଦେଖାଯାଉଛି। ଗୋଟିଏ ପଟେ ରୋଜଗାର ମିଳୁ ନଥିବା ବେଳେ ଅନ୍ୟପାର୍ଶ୍ବରେ ଦରଦାମ ବୃଦ୍ଧି ଯୋଗୁଁ ଲୋକେ ହଇରାଣ ହେଉଛନ୍ତି। ଏହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡୁଛି। ଲୋକେ ଦୁର୍ଭିକ୍ଷର ଶିକାର ହେଉଛନ୍ତି। ହଜାର ହଜାର ଲୋକଙ୍କୁ ଦିନରେ ୩ ଥର ବଦଳରେ ଗୋଟିଏ ଥର ଖାଇବାକୁ ମିଳୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି।
ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ଉପକଣ୍ଠରେ ରହୁଥିବା ଫତିମା ଅରୁଜ ନାଁରେ ଜଣେ ମହିଳା କୁହନ୍ତି, ଦୁର୍ଭିକ୍ଷ କାରଣରୁ ସେ ନିଜର ୨ ପିଲାଙ୍କୁ ମିଛ କୁହନ୍ତି ଯେ, ଏବେ ରମଜାନ ମାସ ଚାଲିଛି। ଏଥି ପାଇଁ ସମସ୍ତଙ୍କୁ ଉପବାସ ରହିବାକୁ ପଡ଼ିବ। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ନିଜର ପିଲାମାନଙ୍କୁ କହିଛି ଯେ, ରମଜାନ ମାସ ଚାଲିଛି ଏବଂ ଏଥି ପାଇଁ ଉପବାସ କରିବାକୁ ହେବ।
ଫତିମାଙ୍କ ପିଲାମାନଙ୍କର ବୟସ ୫ ଓ ୬। ତାଙ୍କର ୩୬ ବର୍ଷୀୟ ସ୍ବାମୀ ଦିନ ମଜୁରିଆ। କାମଧନ୍ଦା ମିଳୁ ନଥିବାରୁ ସେ ମଧ୍ୟ ମାନସିକ ଚାପରେ ଅଛନ୍ତି। ଫତିମା ନିଜର ପିଲାମାନଙ୍କୁ ଦିନକୁ ୩ ଥର ଖାଇବାକୁ ଦେଇପାରୁ ନାହାନ୍ତି। ତେଣୁ ମିଛ କୁହନ୍ତି।