ନୂଆଦିଲ୍ଲୀ: ୟୁରୋପକୁ ଭାରତ ଇନ୍ଧନ ଯୋଗାଣର ଏକ ପ୍ରମୁଖ ଯୋଗାଣକାରୀ ରାଷ୍ଟ୍ର ପାଲଟିଛି। କରୋନା ମହାମାରୀ ଏବଂ ପରବର୍ତ୍ତୀ ରୁଷିଆ-ୟୁକ୍ରେନ ଯୁଦ୍ଧ ସମୟରେ ୟୁରୋପର ତୈଳ ବିଶୋଧନାଗାର ବନ୍ଦ ହେବା ଭାରତକୁ ୟୁରୋପକୁ ଇନ୍ଧନ ଯୋଗାଣର ସୁଯୋଗ ଦେଇଥିଲା। ଋଷଠାରୁ ଶସ୍ତା ମୂଲ୍ୟରେ ଅଶୋଧିତ ତୈଳ କିଣି ବିଭିନ୍ନ ଯାନ ପାଇଁ ଉପଯୁକ୍ତ ଇନ୍ଧନରେ ପରିଣତ କରି ଭାରତ ପେଟ୍ରୋଲିୟମ ଉତ୍ପାଦର ରପ୍ତାନିକାରୀ ପାଲଟିଛି। ଏହି କାରଣରୁ ସାମଗ୍ରୀ ରପ୍ତାନିରେ ପେଟ୍ରୋଲିୟମ ଉତ୍ପାଦର ଅଂଶ ୧୭ ପ୍ରତିଶତରୁ ଅଧିକ ହୋଇଛି।
୫ ବର୍ଷ ତଳେ ଏହି ଅଂଶ ୧୨ ପ୍ରତିଶତ ଥିଲା। ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ଏପ୍ରିଲ-ସେପ୍ଟେମ୍ବରରେ ଭାରତର ସାମଗ୍ରୀ ରପ୍ତାନି ୨୧୩ ବିଲିୟନ ଡଲାର ଥିଲା ଏବଂ ସେଥିମଧ୍ୟରୁ ୩୬.୫ ବିଲିୟନ ଡଲାର ପେଟ୍ରୋଲିୟମ ଉତ୍ପାଦ ରପ୍ତାନି ହୋଇଥିଲା। ଗତ ତିନି ବର୍ଷ ମଧ୍ୟରେ ନେଦରଲାଣ୍ଡ, ବ୍ରିଟେନ, ଫ୍ରାନ୍ସ, ନରୱେ ଭଳି ଦେଶ ପେଟ୍ରୋଲିୟମ ସାମଗ୍ରୀ କିଣୁଛନ୍ତି।
ପେଟ୍ରୋଲିୟମ ଉତ୍ପାଦ ଯୋଗୁଁ ୟୁରୋପର ଅନେକ ଦେଶରେ ଭାରତର ରପ୍ତାନି ବୃଦ୍ଧି ପାଉଛି। ୟୁରୋପୀୟ ଦେଶମାନଙ୍କ ସହିତ ଭାରତ ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ୟୁଏଇ, ଅଷ୍ଟ୍ରେଲିଆ ଭଳି ଦେଶକୁ ମଧ୍ୟ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି କରୁଛି।
ବାଣିଜ୍ୟ ମନ୍ତ୍ରଣାଳୟତଥ୍ୟ ଅନୁଯାୟୀ ନେଦରଲାଣ୍ଡକୁ ଭାରତର ରପ୍ତାନିର ୬୫ ପ୍ରତିଶତ ପେଟ୍ରୋଲିୟମ ଉତ୍ପାଦର ଅଂଶ ରହିଛି। ନେଦରଲ୍ୟାଣ୍ଡଭାରତର ଶ୍ରେଷ୍ଠ ପାଞ୍ଚଟି ରପ୍ତାନି ବଜାରରେ ସାମିଲ ହୋଇଛି। ସେହିପରି ବ୍ରିଟେନର ମୋଟ ରପ୍ତାନିରେ ପେଟ୍ରୋଲିୟମ ଉତ୍ପାଦର ଅଂଶ ୨୦ ପ୍ରତିଶତ ରହିଛି। ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ଏପ୍ରିଲ-ଜୁଲାଇରେ ଫ୍ରାନ୍ସକୁ ଅଟୋମୋଟିଭ୍ ଡିଜେଲ ଇନ୍ଧନ ରପ୍ତାନି ୮୮୩ ପ୍ରତିଶତ ବୃଦ୍ଧି ପାଇଛି।