ନୂଆଦିଲ୍ଲୀ: ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଦୁବାଇର କ୍ରାଉନ ପ୍ରିନ୍ସ ଏବଂ ୟୁଏଇ ପ୍ରତିରକ୍ଷା ମନ୍ତ୍ରୀ ଶେଖ ହମଦାନ ବିନ୍ ମହମ୍ମଦ ବିନ୍ ରସିଦ ଅଲ୍ ମକତୁମଙ୍କ ଭାରତ ଗସ୍ତ ସମୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।
ଭାରତ ଏବଂ ୟୁଏଇ ମଧ୍ୟରେ ହୋଇଥିବା ଚୁକ୍ତିନାମା ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ଦୁବାଇରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଅହମ୍ମଦାବାଦ (ଆଇଆଇଏମ୍-ଅହମଦାବାଦ)ର କ୍ୟାମ୍ପସ୍ ପ୍ରତିଷ୍ଠା କରିବା। ଏହି କ୍ୟାମ୍ପସରେ ପ୍ରଥମ ଏମ୍ବିଏ ପ୍ରୋଗ୍ରାମ ସେପ୍ଟେମ୍ବର ୨୦୨୫ରେ ଆରମ୍ଭ ହେବ। ଏହା ସହିତ, ଦୁବାଇର ଏକ୍ସପୋ ସିଟିରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫରେନ୍ ଟ୍ରେଡ୍ (ଆଇଆଇଏଫ୍ଟି) ର ପ୍ରଥମ ବିଦେଶୀ କ୍ୟାମ୍ପସ ମଧ୍ୟ ପ୍ରତିଷ୍ଠିତ ହେବ।
ଏହା ବ୍ୟତୀତ, ଭାରତ-ୟୁଏଇ ଫ୍ରେଣ୍ଡସିପ୍ ହସ୍ପିଟାଲ୍ ସ୍ଥାପନ ପାଇଁ ଦୁବାଇରେ ଜମି ଆବଣ୍ଟନ, କୋଚି ଏବଂ ଭାଡିନାରରେ ଜାହାଜ ମରାମତି କ୍ଲଷ୍ଟରର ବିକାଶ ଏବଂ ଭାରତ ମାର୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ ଘୋଷଣା କରାଯାଇଛି। ଏହି ଚୁକ୍ତିନାମା ଅନୁଯାୟୀ, ଦୁବାଇ ଚାମ୍ବର ଅଫ୍ କମର୍ସରେ ଏକ ଭାରତୀୟ କାର୍ଯ୍ୟାଳୟ ମଧ୍ୟ ଖୋଲାଯିବ, ଯାହା ବ୍ୟବସାୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରିବ।
ଦୁବାଇରେ ଆଇଆଇଏମ୍-ଅହମ୍ମଦାବାଦ ଏବଂ ଆଇଆଇଏଫ୍ଟି କ୍ୟାମ୍ପସ ପ୍ରତିଷ୍ଠା ଦୁଇ ଦେଶ ମଧ୍ୟରେ ଶିକ୍ଷାଗତ ସହଯୋଗକୁ ଆହୁରି ମଜବୁତ କରିବ। ଏହା ଦୁବାଇ ଏବଂ ୟୁଏଇକୁ ଏକ ଅଗ୍ରଣୀ ବିଶ୍ୱ ଶିକ୍ଷା କେନ୍ଦ୍ର ଭାବରେ ଉଭା ହେବାରେ ସାହାଯ୍ୟ କରିବ। ଗତ ବର୍ଷ ଆବୁଧାବିରେ ଆଇଆଇଟିର ପ୍ରଥମ ମଧ୍ୟପ୍ରାଚ୍ୟ କ୍ୟାମ୍ପସ୍ ଖୋଲାଯାଇଥିଲା। ଏହି ପଦକ୍ଷେପଗୁଡ଼ିକ ୟୁଏଇରେ ଥିବା ୪.୩ ନିୟୁତ ଭାରତୀୟ ସମ୍ପ୍ରଦାୟ ଏବଂ ଉପସାଗରୀୟ ଅଞ୍ଚଳରେ ଥିବା ପ୍ରାୟ ୯ ନିୟୁତ ଭାରତୀୟଙ୍କୁ ଲାଭ ଦେବ।
ଭାରତ ଏବଂ ୟୁଏଇ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଭାରତ ମାର୍ଟ ଏବଂ ଭର୍ଚୁଆଲ୍ ବାଣିଜ୍ୟ କରିଡର ଘୋଷଣା କରାଯାଇଛି। ଭିଟିସି ଏବଂ ମୈତ୍ରୀ ଇଣ୍ଟରଫେସକୁ ସମର୍ଥନ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଦ୍ୱିପାକ୍ଷିକ ବାଣିଜ୍ୟକୁ ଆହୁରି ବୃଦ୍ଧି କରିବ। ସିଇପିଏ (ବ୍ୟାପକ ଅର୍ଥନୈତିକ ସହଭାଗୀତା ଚୁକ୍ତିନାମା) କାର୍ଯ୍ୟକାରୀ ହେବା ପରଠାରୁ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବହୁ ଗୁଣ ବୃଦ୍ଧି ପାଇଛି। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ, ଦ୍ୱିପାକ୍ଷିକ ବାଣିଜ୍ୟ ୯୭ ବିଲିୟନ ଡଲାର ଅତିକ୍ରମ କରିବ ବୋଲି ଆଶା କରାଯାଉଛି ଏବଂ ଅଣ-ତୈଳ ବାଣିଜ୍ୟ ଲକ୍ଷ୍ୟ ୧୦୦ ବିଲିୟନ ଡଲାରରେ ପହଞ୍ଚିପାରିବ।
କ୍ରାଉନ୍ ପ୍ରିନ୍ସ ମୁମ୍ବାଇରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମଧ୍ୟ ଭେଟିଥିଲେ ଏବଂ ସିଇପିଏ ଅଧୀନରେ ଦ୍ୱିପାକ୍ଷିକ ବାଣିଜ୍ୟର ଦ୍ରୁତ ଅଭିବୃଦ୍ଧି ବିଷୟରେ ଆଲୋଚନା କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମାଗୁଡ଼ିକ ଭାରତ ଏବଂ ୟୁଏଇ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରିବ ଏବଂ ଏହି ସମ୍ପର୍କ ନୂତନ ଶିଖରରେ ପହଞ୍ଚିବ ବୋଲି ଗୋୟଲ ଆଶା ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ: ଗଭର୍ଣ୍ଣରଙ୍କ ସମେତ ୬୬ ଜଣଙ୍କର ମୃତ୍ୟୁ, ୧୫୫ ଜଣ ଆହତ