ମୁସଲିମ୍ ବହୁଳ ଦେଶରେ ପ୍ରତିଷ୍ଠା ହୋଇଛି ହିନ୍ଦୁ ମନ୍ଦିର । ଗତ ୫ବର୍ଷ ହେଲା ଏହି ମନ୍ଦିରର ନିର୍ମାଣ କାମ ଚାଲିଥିଲା । ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଥିଲା । ଫେବୃଆରୀ ୧୪ ତାରିଖ ଦିନ ୟୁଏଇ ମାଟିରେ ପ୍ରତିଷ୍ଠା ହୋଇଥିଲା ପ୍ରଥମ ହିନ୍ଦୁ ମନ୍ଦିର । ଯାହାକୁ ନେଇ ପ୍ରବାସୀ ଭାରତୀୟ ମାନେ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ । ପୂଜାର୍ଚ୍ଚନା ଓ ହୋମ ଯଜ୍ଞରେ ପ୍ରକମ୍ପିତ ହୋଇ ଉଠିଥିଲା ସାରା ଅଂଚଳ । ଭାରତର ସଂସ୍କୃତି ଓ ପରମ୍ପରା ଏବେ ସାରା ବିଶ୍ୱରେ ପ୍ରଚଳିତ ହୋଇଛି । ଆମେରିକା ପରେ ୟୁଏଇରେ ପ୍ରତିଷ୍ଠା ହୋଇଛି ହିନ୍ଦୁ ମନ୍ଦିର । ତେବେ ମନ୍ଦିର ଉଦଘାଟନ ଉତ୍ସବରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ୟୁଏଇ ରାଷ୍ଟ୍ରମୁଖ୍ୟଙ୍କୁ ଭେଟିବା ସହ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ।
୧୯୯୭ ମସିହାରେ ବିଏପିଏସ ସ୍ୱାମୀନାରାୟଣ ସଂସ୍ଥା ଏହି ମନ୍ଦିର ନିର୍ମାଣ ପାଇଁ କଳ୍ପନା କରିଥିଲେ । ଦୀର୍ଘ ବର୍ଷର ଅନ୍ତର ପରେ ୨୦୧୯ରେ ମନ୍ଦିରର ଆଧାରଶିଳା ରଖାଯାଇଥିଲା । ୫ବର୍ଷ ପରେ ମନ୍ଦିରର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ତେବେ ଏହି ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୭୦୦କୋଟି ଟଙ୍କା ବ୍ୟୟ କରାଯାଇଛି । ୨୭ଏକ ଜମିରେ ମନ୍ଦିର ନିର୍ମିତ କରାଯାଇଛି ଏହି ମନ୍ଦିର । ମନ୍ଦିରର ସମ୍ପୂର୍ଣ୍ଣ ନିର୍ମାଣରେ ଲାଗିଛି କେବଳ ଗୋଲପୀ ରଙ୍ଗର ମାର୍ବଲ ପଥର । ୨୦୧୮ରେ ମନ୍ଦିର ପାଇଁ ସ୍ଥାପନ ହୋଇଥିଲା ଭିତ୍ତିପ୍ରସ୍ତର l ପ୍ରଧାନମନ୍ତ୍ରୀ ମୋଦି ୨୦୧୫ ମସିହାରେ ୟୁଏଇ ଗସ୍ତ କରିଥିଲେ । ଏହାପରେ ୨୦୧୮ ମସିହାରେ ମନ୍ଦିରର ଭିତିପ୍ରସ୍ତର ସ୍ଥାପନ ଆରମ୍ଭ ହୋଇଥିଲା । ଏହି ମନ୍ଦିରଟି ମାର୍ବଲ ଏବଂ ବାଲୁକା ପଥରରେ ତିଆରି ହୋଇଛି ।
ଏହି ମନ୍ଦିରରେ ସ୍ୱାମୀ ନାରାୟଣ ମହାପ୍ରଭୁଙ୍କ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ସ୍ୱାମୀ ନାରାୟଣ ମହାପ୍ରଭୁ ଉତ୍ତରପ୍ରଦେଶର ସ୍ୱାମୀନାରାୟଣ ସମ୍ପ୍ରଦାୟର ପ୍ରତିଷ୍ଠାତା । ଯିଏ କି ଭଗବାନ ରାମଙ୍କ ସହର ଅଯୋଧ୍ୟାରେ ରହି ବେଦ ଓ ଶାସ୍ତ୍ରରେ ଶିକ୍ଷା ଲାଭ କରିଥିଲେ । ତାଙ୍କ ଉଦ୍ଦେଶ୍ୟରେ ଏହି ମନ୍ଦିରଟି ସ୍ଥାପନ କରାଯାଇଛି । ଏହି ମନ୍ଦିରରେ ସ୍ୱାମୀ ନାରାୟଣଙ୍କ ବ୍ୟତୀତ ସୀତା-ରାମ, ଲକ୍ଷ୍ମଣ, ହନୁମାନ, ଶିବ-ପାର୍ବତୀଙ୍କ ବିଗ୍ରହ, ରାଧା-କୃଷ୍ଣ, ଶ୍ରୀଗଣେଶ, ଭଗବାନ ଜଗନ୍ନାଥ ଏବଂ ଭଗବାନ ଆୟପ୍ପାଙ୍କ ସମେତ ଆହୁରି ଅନେକ ଦେବାଦେବୀଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ସମସ୍ତ ହିନ୍ଦୁ ଦେବାଦେବୀ ଏହି ମନ୍ଦିରରେ ପୂଜା ପାଇବେ । ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯିବ। ପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିରରେ ସର୍ବଦା ଭିଡ ଦେଖିବାକୁ ମିଳୁଛି ।
ଅଧିକ ପଢନ୍ତୁ :ୟୁଏଇରେ ପ୍ରାଣ ପ୍ରତିଷ୍ଠା ହେଲା ପ୍ରଥମ ହିନ୍ଦୁ ମନ୍ଦିର