ବେରୁତ: ଇସ୍ରାଏଲ ନିଜର ଶତ୍ରୁମାନଙ୍କୁ ନିପାତ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଶତ୍ରୁମାନେ ମଧ୍ୟ ଇସ୍ରାଏଲର ସହରଗୁଡ଼ିକୁ କଡ଼ା ଟାର୍ଗେଟ କରୁଛନ୍ତି। ସଦ୍ୟତମ ଆକ୍ରମଣରେ ହିଜବୁଲ୍ଲା ଉତ୍ତର ଇସ୍ରାଏଲରେ ଥିବା ଏକ ଇସ୍ରାଏଲ ଘାଟି ଉପରେ ଡଜନାଧିକ ଡ୍ରୋନ୍ ସାହାଯ୍ୟରେ ସିରିଜ୍ ଆକ୍ରମଣ କରାଯାଇଛି।
ଏହି ଆକ୍ରମଣରେ ଇସ୍ରାଏଲ ପକ୍ଷରୁ ଅନେକ ଲୋକ ଆହତ ହୋଇଛନ୍ତି। ହିଜବୁଲ୍ଲା ଏକ ବିବୃତ୍ତିରେ କହିଛି ଯେ ଇସଲାମିକ ପ୍ରତିରୋଧୀ ଲଢୁଆମାନେ ଶନିବାର ମିଚାଭେ ଆଲୋନ୍ ବେସ୍ ଉପରେ ଆତ୍ମଘାତୀ ଡ୍ରୋନ୍ ସାହାଯ୍ୟରେ ଏୟାର ଷ୍ଟ୍ରାଇକ୍ କରିଥିଲେ।
ଇସ୍ରାଏଲର ଶ୍ବେତ ସହରରେ ଏହି ଆକ୍ରମଣ ହୋଇଛି। ଆକ୍ରମଣ ହୋଇଥିବା ଇସ୍ରାଏଲ ଘାଟିଠାରୁ ଅଳ୍ପ ଦୂରରେ ଇସ୍ରାଏଲର ଉତ୍ତର କୋରର ସୁରକ୍ଷା ପାଇଁ ସୈନିକଙ୍କ ସମାଗମ ହେଉଛି ଏବଂ ସେଠାରେ ଏକ ଜରୁରୀକାଳୀନ ଗୋଦାମ ମଧ୍ୟ ରହିଛି।
ହିଜବୁଲ୍ଲା କହିଛି ଯେ ଶୁକ୍ରବାର ଦକ୍ଷିଣ ଲେବାନନ୍ ସହର ସିଡୋନ୍ରେ ହମାସର ଜଣେ ଅଧିକାରୀଙ୍କ ମୃତ୍ୟୁର ଜବାବରେ ଏହି ଆକ୍ରମଣ କରାଯାଇଥିଲା।
ଶୁକ୍ରବାର ଦିନ ଲେବାନନର ସିଡୋନ ସହରରେ ଇସ୍ରାଏଲର ଡ୍ରୋନ ଆକ୍ରମଣରେ ହମାସ ଅଧିକାରୀ ସମର ଅଲ-ହଜ୍ ନିହତ ହୋଇଛନ୍ତି। ସେପଟେ ଦକ୍ଷିଣ ଲେବାନନର ସୀମାନ୍ତ ଅଞ୍ଚଳର ୬ଟି ଗାଁ ଓ ସହର ଉପରେ ଇସ୍ରାଏଲର ଡ୍ରୋନ ଓ ଲଢୁଆ ବିମାନ ୧୦ଟି ଏୟାରଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ୩ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ବେଳେ ୧୮ଟି ଘର ଧ୍ୱଂସ ହୋଇଯାଇଛି।