ଫ୍ଲିନ ଫ୍ଲୋନ୍: କାନାଡାରେ ଜଙ୍ଗଲ ନିଆଁ ଅନିୟନ୍ତ୍ରିତ ହୋଇଛି। ତିନୋଟି ରାଜ୍ୟରୁ ୨୫ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଜଙ୍ଗଲର ଅନେକ ସ୍ଥାନରେ ରବିବାର ନିଆଁ ଲାଗିଛି। ନିଆଁରୁ ନିର୍ଗତ ଧୂଆଁ ଯୋଗୁଁ କାନାଡା ଏବଂ ଆମେରିକାର କିଛି ରାଜ୍ୟରେ ବାୟୁ ଗୁଣବତ୍ତା ବହୁତ ଖରାପ ହୋଇଯାଇଛି।
ଅଧିକାରୀଙ୍କ ଅନୁଯାୟୀ, ସ୍ଥାନାନ୍ତରିତ ହୋଇଥିବା ଅଧିକାଂଶ ଲୋକ ମାନିଟୋବା ନିବାସୀ। ଅଗ୍ନିକାଣ୍ଡ ଯୋଗୁଁ ଗତ ସପ୍ତାହରେ ମାନିଟୋବାରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଥିଲା। ଶନିବାର ସୁଦ୍ଧା ମାନିଟୋବାରୁ ପ୍ରାୟ ୧୭ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଆଲବର୍ଟାରେ ୧୩,୦୦୦ ଲୋକଙ୍କୁ ଏବଂ ସାସ୍କାଚେୱାନରେ ପ୍ରାୟ ଆଠ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସାସ୍କାଚେୱାନ୍ ପ୍ରିମିୟର ସ୍କଟ୍ ମୋ କହିଛନ୍ତି, ଗରମ, ଶୁଷ୍କ ପାଗ ଯୋଗୁଁ ନିଆଁ ପ୍ରଚଣ୍ଡ ରୂପ ନେଉଛି। ଆମର ସୀମିତ ସମ୍ବଳ ଅଛି। ଆଗାମୀ ଚାରିରୁ ସାତ ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ। ନିଆଁକୁ ଏଡାଇବା ପାଇଁ ମାନିଟୋବାରେ ବିଭିନ୍ନ ସ୍ଥାନରେ ସ୍ଥାନାନ୍ତର କେନ୍ଦ୍ର ଖୋଲାଯାଇଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରାଯାଉଛି କିନ୍ତୁ ସଫଳତା ମିଳିନାହିଁ।
ୱିନିପେଗ୍ ବିସ୍ଥାପିତ ଲୋକଙ୍କ ପାଇଁ ସାର୍ବଜନୀନ କୋଠା ଖୋଲି ଦେଇଛି। ଆମେରିକାର କୃଷି ବିଭାଗର ବନ ସେବା ଆଲବର୍ଟାରେ ଏୟାର ଟ୍ୟାଙ୍କର୍ ନିୟୋଜିତ କରିଛି। ଆମେରିକା କାନାଡାକୁ ୧୫୦ ଜଣ ଅଗ୍ନିଶମ କର୍ମଚାରୀ ଏବଂ ଉପକରଣ ପଠାଇବ। ଆମେରିକାର ପରିବେଶ ସୁରକ୍ଷା ଏଜେନ୍ସି ଅନୁଯାୟୀ, ରବିବାର ଆମେରିକାର ଉତ୍ତର ଡାକୋଟା, ମୋଣ୍ଟାନା, ମିନେସୋଟା, ଦକ୍ଷିଣ ଡାକୋଟାରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ହୋଇଯାଇଥିଲା। ଏଠାରେ ଉଲ୍ଲେଖନୀୟ ଯେ କାନାଡାରେ ପ୍ରତିବର୍ଷ ମେ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଜଙ୍ଗଲରେ ନିଆଁ ଲାଗିଥାଏ।