ତେହରାନ୍: ଇସ୍ରାଏଲ ଆକ୍ରମଣ ପରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏବେ ତାଙ୍କ ଉତ୍ତରାଧିକାରୀ ଖୋଜାଯାଉଛି। କୁହାଯାଉଛି ଯେ ୮୫ ବର୍ଷୀୟ ଖାମେନି ଗୁରୁତର ଅସୁସ୍ଥ ଅଛନ୍ତି। ତାଙ୍କ ଦ୍ବିତୀୟ ପୁତ୍ର ମୋଜତାବା ଖାମେନିଙ୍କୁ ଉତ୍ତରାଧିକାରୀ କରାଯାଇପାରେ ବୋଲି କୁହାଯାଉଛି।
ଅକ୍ଟୋବର ପହିଲାରେ ଇରାନ ଇସ୍ରାଏଲ ଉପରକୁ ୧୮୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ତେବେ ଏହି ଆକ୍ରମଣରେ ଇସ୍ରାଏଲକୁ ବିଶେଷ କ୍ଷତି ସହିବାକୁ ପଡ଼ିନଥିଲା। କିନ୍ତୁ ଇସ୍ରାଏଲ ଇରାନଠାରୁ ପ୍ରତିଶୋଧ ନେବାକୁ କହିଥିଲା। ଏହାପରେ ଅକ୍ଟୋବର ୨୬ ତାରିଖ ରାତିରେ ଇସ୍ରାଏଲ ମଧ୍ୟ ଇରାନର ରାଜଧାନୀ ତେହେରାନ ଏବଂ ଆଖପାଖ ଅଞ୍ଚଳରେ ଡଜନାଧିକ ଲଢୁଆ ବିମାନ ସହ ଅନେକ ଆକ୍ରମଣ କରିଥିଲା। ଇସ୍ରାଏଲ ଅଧିକାଂଶ ଆକ୍ରମଣକୁ ବିଫଳ କରିଛି ବୋଲି ଇରାନ କହିଛି।
ଇସ୍ରାଏଲର ଖବରକାଗଜ ଜେରୁଜେଲମ ପୋଷ୍ଟ ଆମେରିକାର ଖବରକାଗଜ ନ୍ୟୁୟର୍କ ଟାଇମ୍ସର ରିପୋର୍ଟକୁ ଉଦ୍ଧୃତ କରି କହିଛି ଯେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନି ଗୁରୁତର ଅସୁସ୍ଥ ଅଛନ୍ତି। ଇରାନ ତାଙ୍କ ଉତ୍ତରାଧିକାରୀ ଖୋଜିବା ଜୋରଦାର କରିଛି। ସମ୍ଭବତଃ ତାଙ୍କ ଦ୍ବିତୀୟ ପୁତ୍ରକୁ ଉତ୍ତରାଧିକାରୀ କରାଯାଇପାରେ। ୧୯୮୯ ରେ ରୁହୁଲ୍ଲାହ ଖାମେନିଙ୍କ ମୃତ୍ୟୁ ପରଠାରୁ ଆୟାତୋଲ୍ଲା ଅଲ୍ଲୀ ଖାମେନି ଇରାନର ସର୍ବୋଚ୍ଚ ନେତା ଅଛନ୍ତି।
ନ୍ୟୁୟର୍କ ଟାଇମ୍ସର ଏହି ରିପୋର୍ଟ ଇରାନ ଉପରେ ଇସ୍ରାଏଲ ଆକ୍ରମଣର ଗୋଟିଏ ଦିନ ପରେ ଆସିଛି। ଗତ ବର୍ଷ ମେ ମାସ ୨୦ ତାରିଖରେ ଇରାନର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଖାମେନିଙ୍କ ଉତ୍ତରାଧିକାରୀ ଚିନ୍ତା ପ୍ରକଟ କରିଥିଲେ। ଇରାନ ଅଧିକାରୀଙ୍କ ବୟାନ ଦେଇ କହିଛି ଯେ ଇରାନ ଇସ୍ରାଏଲ ସହ ଉତ୍ତେଜନା ବଢ଼ାଇବାକୁ ଚାହୁଁନାହିଁ। ଶନିବାର ଦିନ ଇସ୍ରାଏଲ ଇରାନ ବ୍ୟତୀତ ଇରାକ ଓ ସିରିଆର ଅନେକ ଟାର୍ଗେଟ ଉପରେ ଆକ୍ରମଣ କରିଥିଲା।
ଅଧିକ ପଢ଼ନ୍ତୁ: ଭାରତରେ ସ୍ପେନ୍ ପ୍ରଧାନମନ୍ତ୍ରୀ