ନୂଆଦିଲ୍ଲୀ, ନଭେମ୍ବର ୧୨ (ଖବର ଓଡ଼ିଶା): ପ୍ରତିବର୍ଷ ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥାଏ ନିମୋନିଆ। ଏଥିପାଇଁ ଏହାକୁ ସର୍ବାଧିକ ଶିଶୁଙ୍କ ଜୀବନ ନେଉଥିବା ରୋଗ ବୋଲି କୁହାଯାଏ । ଏହା ଏମିତି ଏକ ଶ୍ୱାସକ୍ରିୟା ଜନିତ ରୋଗ ଯାହା ବିଶେଷ କରି ଛୋଟ ପିଲା ବା ୫ବର୍ଷରୁ କମ୍ ଶିଶୁ ମାନଙ୍କୁ ଅଧିକ ସଂକ୍ରମିତ କରିଥାଏ ।
କେବଳ ଯେ ଏହା ଛୋଟ ପିଲାମାନଙ୍କ ପାଇଁ ଅଧିକ କ୍ଷତିକାରକ ତାହା ନୁହେଁ ବୟସ୍କ ବ୍ୟକ୍ତିମାନଙ୍କୁ ମଧ୍ୟ ଏହି ରୋଗର ଅଧିକ ଭୟ ରହିଥାଏ । ଖାସ୍ କରି ୬୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ମାନେ ନିମୋନିଆରେ ଅଧିକ ପୀଡିତ ହୋଇଥାନ୍ତି ଓ ପରିଣତ ବୟସରେ ସେମାନଙ୍କ ଶ୍ୱାସକ୍ରିୟାରେ ସମସ୍ୟା ସେମାନଙ୍କ ମୃତ୍ୟୁର ପ୍ରମୁଖ କାରଣ ହୋଇଥାଏ ।
ଏଥିପାଇଁ ଏହି ମାରାତ୍ମକ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଆଜିର ଦିନରେ ଅର୍ଥାତ୍ ନଭେମ୍ବର ୧୨ରେ ବିଶ୍ୱ ନିମୋନିଆ ଦିବସ ପାଳନ କରାଯାଏ । ସାରା ବିଶ୍ୱକୁ ନିମୋନିଆ ବିଷୟରେ ଅବଗତ କରାଇବା ଓ ଏହି ରୋଗର ନିରାକରଣ ପାଇଁ ଦୃଢ ପଦକ୍ଷପ ନେବା ପାଇଁ ୨୦୦୯ରେ ପ୍ରଥମ କରି ଏହି ଦିବସ ପାଳନ କରାଯାଇଥିଲା ।
ଚଳିତ ବର୍ଷ କରୋନା ମହାମାରୀ ଯେଉଁ ଭଳି ଭାବରେ ପ୍ରଳୟ ରଚିଛି ତାହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ନିମୋନିଆ ଭଳି ଭୟଙ୍କର ରୋଗ ବିଷୟରେ ସଚେତନତା ମଧ୍ୟ ଅତ୍ୟନ୍ତ ଆବଶ୍ୟକ ରହିଛି । ସେଥିପାଇଁ ଚଳିତ ବର୍ଷ ବିଶ୍ୱ ନିମୋନିଆ ଦିବସର ଥିମ୍ ରଖାଯାଇଛି ‘ନିମୋନିଆକୁ ଶେଷ କର, ପ୍ରତିଟି ନିଶ୍ୱାସ ଗଣନା କରାଯାଏ’ । ଏହାର ଅର୍ଥ ହେଉଛି ପ୍ରତିଟି ଜୀବନ ମୂଲ୍ୟବାନ ।
ଏକ ଆନ୍ତର୍ଜାତୀୟ ସଂସ୍ଥା ‘ଷ୍ଟପ୍ ନିମୋନିଆ’ ଠାରୁ ମିଳିଥିବା ପରିସଂଖ୍ୟାନ ଅନୁଯାୟୀ, ନିମୋନିଆ ୨୦୧୯ ରେ ୬୭୨,୦୦୦ ଶିଶୁଙ୍କ ସମେତ ୨.୫ ମିଲିୟନ ଲୋକଙ୍କ ଜୀବନ ନେଇଥିଲା । ଏବଂ ଆମେରିକୀୟ ଜର୍ଣ୍ଣାଲ ଅଫ୍ ଫିଜିଓଲୋଜିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାଇ କରୋନା ମହାମାରୀ ୨୦୨୦ ରେ ୧.୯ ନିୟୁତ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ସାରିଥିବ ଏବଂ ଯଦି ଏହି ସମସ୍ତ ମୃତ୍ୟୁ ଗ୍ଲୋବାଲ୍ ବର୍ଡେନ୍ ଦ୍ୱାରା ନିମ୍ନ ଶ୍ୱାସକ୍ରିୟା ସଂକ୍ରମଣ ଭାବରେ ବର୍ଗୀକୃତ ହୁଏ । ତେବେ ନିଶ୍ଚୟ ଭାବରେ କରୋନା ପରବର୍ତୀ ସମୟରେ ଏହା ନିମୋନିଆ ମୃତ୍ୟୁ ହାରକୁ ୭୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି ।