ଆଜିକାଲି ପ୍ରାୟ ସମସ୍ତେ ସୋସିଆଲ ମିଡ଼ିଆ ସହ ଜଡ଼ିତ ଅଟନ୍ତି । କିଏ ଏହାର ସୁଫଳ ନେଉଛି ତ କାହା ପାଇଁ ଏହା ଏକ ମନୋରଞ୍ଜନର ମାଧ୍ୟମ ପାଲଟିଛି । କିନ୍ତୁ ସୋସିଆଲ ମିଡ଼ିଆରେ ସମସ୍ୟା ବାବଦରେ ପୋଷ୍ଟ କରିବା ପରେ ସମସ୍ୟାର ସମାଧାନ ହେବାର କଥା ବହୁତ କମ ରହିଛି । କିନ୍ତୁ ଜଳେଶ୍ୱର ଅଞ୍ଚଳରେ ନିଜର ହକ୍ ପାଇବାରେ ଅସୁବିଧା ହେଉଥିବା ବେଳେ ଏହାକୁ ସୋସିଆଲ ମିଡିଆରେ ଲେଖି ସୁଫଳ ପାଇଛନ୍ତି ଜଳେଶ୍ୱର ବ୍ଲକ ସୁଗୋ ଗ୍ରାମର ସରସ୍ୱତୀ ରାଉଳଙ୍କ ପରିବାର । ଅତ୍ୟନ୍ତ ଗରିବ ଘରର ଝିଅ ହୋଇଥିବା ସରସ୍ୱତୀର ଏପରି କାମକୁ ଏବେ ଭୁରି ଭୁରି ପ୍ରଶଂସା କରାଯାଉଛି ।
ଖାବରାନୁଯାୟୀ, ଜଳେଶ୍ଵର ବ୍ଲକ ସୁଗୋ ଗ୍ରାମର ପଞ୍ଚାନନ ରାଉଳଙ୍କ ସାନ ଝିଅ ହେଉଛନ୍ତି ସରସ୍ୱତୀ ରାଉଳ| ପାଞ୍ଚଜଣ ଝିଅ,ସ୍ବାମୀ - ସ୍ତ୍ରୀ କୁ ନେଇ ଏହି ଗରିବ ପରିବାର ଗୁପଚୁପ ବେପାର କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି| ସରକାରୀ ସହାୟତା କହିଲେ କେବଳ ଅନ୍ତୋର୍ଦୟ କାର୍ଡ ମାଧ୍ୟମରେ ମାସକୁ 35 କେଜି ଚାଉଳ ହେଉଛି ସାହାଭରସା। ତେବେ ଗତ ତିନି ମାସ ଧରି ରାସନ ସାମଗ୍ରୀ ମିଳୁନଥିବାରୁ ବୃଦ୍ଧ ପଞ୍ଚାନନ ଏବଂ ତାଙ୍କର ସାନ ଝିଅ ସରସ୍ଵତୀ ବାରମ୍ବାର ଡିଲର ନିକଟରେ ଅଭିଯୋଗ କରିଆସୁଥିଲେ। ହେଲେ ଏହାକୁ ନେଇ ଡିଲର ଚାଉଳ ଦିଆ ଯିବନି ବୋଲି କହିବା ସହ ସ୍ୱରସ୍ୱତୀଙ୍କୁ ନାଲି ଆଖି ଦେଖେଇ ଥିଲେ । ଝିଅ ସରସ୍ୱତୀ ଦୁଇ ଦିନ ତଳେ ସୋସିଆଲ ମିଡ଼ିଆରେ ଡିଲର କାରନାମା କୁ ରେକର୍ଡ କରି ଫେସବୁକ ରେ ଅପଲୋଡ଼ କରିଥିଲେ। ଯାହାକୁ ନେଇ ଜଳେଶ୍ଵର ଅଞ୍ଚଳ ରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ସକାଳ ସମୟରେ ଡିଲର ହିତାଧିକାରୀଙ୍କ ଘରକୁ ଯାଇ ବକେୟା ଥିବା ତିନି ମାସ ର ଚାଉଳ ପ୍ରଦାନ କରିଛନ୍ତି । ସେପଟେ ଏହାକୁ ନେଇ ଝିଅ ସରସ୍ଵତୀ ରାଉଳ ବହୁତ ଖୁସି ହୋଇଥିବା ବେଳେ ବାପାଙ୍କୁ ଏକ ଆବାସ ଘର ଯୋଗାଇ ଦେବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି।