ମୁମ୍ବାଇ: ବଲିଉଡ୍ ଦିଗ୍ଗଜ ଅଭିନେତା ଧର୍ମେନ୍ଦ୍ର ଚିକିତ୍ସାଧୀନ ଥିବା ଅବସ୍ଥାରେ ଭିଡ଼ିଓ ବନାଇଥିବା ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଭିଡ଼ିଓ ଉତ୍ତୋଳନ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଆଇସିୟୁରେ ଭର୍ତ୍ତି ଥିଲେ । ଏହି ସମୟରେ ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା । ଭିଡ଼ିଓରେ ଧର୍ମେନ୍ଦ୍ର ମେଡ଼ିକାଲ୍ ବେଡ୍ ଉପରେ ଶୋଇଥିଲେ । ତାଙ୍କର ପରିବାର ସଦସ୍ୟମାନେ ତାଙ୍କୁ ଘେରି ରହିଥିଲେ । ସମସ୍ତେ ବହୁତ ଦୁଃଖୀ ଥିଲେ । ଧର୍ମେନ୍ଦ୍ର ପ୍ରଥମ ପତ୍ନୀ ପ୍ରକାଶ କୌର୍, ସନୀ ଦେୱାଲଙ୍କ ଦୁଇ ପୁଅ କରଣ ଓ ରାଜବୀର ସମସ୍ତେ ଥିଲେ । ଏହି ଭିଡ଼ିଓ ବନାଇଥିବା ବ୍ୟକ୍ତି ହେଲେ ସେହି ହସ୍ପିଟାଲର କର୍ମଚାରୀ ।
ଧର୍ମେନ୍ଦ୍ର ପ୍ରାୟ ଏକ ସପ୍ତାହ ଧରି ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ଥିଲେ । ଏହା ପରେ ତାଙ୍କର ମୃତ୍ୟୁକୁ ନେଇ ଗୁଜବ ପ୍ରଚାରିତ ହୋଇଥିଲା । ଏହି ଖବର ପ୍ରସାରିତ ହେବା ପରେ ଧର୍ମେନ୍ଦ୍ରଙ୍କ ଝିଅ ଇସା, ପତ୍ନୀ ହେମା ମାଲିନୀ ଏବଂ ଅନ୍ୟ ସଦସ୍ୟମାନେ ଧର୍ମେନ୍ଦ୍ର ଠିକ୍ ଥିବା ସୋସିଆଲ୍ ମିଡ଼ିଆରେ କହିଥିଲେ । ବିଭିନ୍ନ ଗଣମାଧ୍ୟମ ଉପରେ ମଧ୍ୟ ବର୍ଷିଥିଲେ । ଗତକାଲି ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସକାଳ 7ଟା 30 ସମୟରେ ଧର୍ମେନ୍ଦ୍ର ମେଡ଼ିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ଘରେ ତାଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖାଯିବ । ତାଙ୍କର ଆଶୁ ଆରୋଗ୍ୟ କାମନା କରିବାକୁ ପରିବାର ପକ୍ଷରୁ କୁହାଯାଇଥିଲା ।