ମୁମ୍ବାଇ, ଜୁନ୍ ୦୨ (ଖବର ଓଡ଼ିଶା): ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କେକେ ଓରଫ କୃଷ୍ଣ କୁମାର କୁନ୍ନଥଙ୍କ ଆଜି ମୁମ୍ବାଇରେ ଅନ୍ତିମ ସଂସ୍କାର ହେବ । ବୁଧବାର ତାଙ୍କର ପାର୍ଥିବ ଶରୀର କୋଲକାତାରୁ ମୁମ୍ବାଇ ପହଞ୍ଚିଛି । ଏହା ପୂର୍ବରୁ କଣ୍ଠଶିଳ୍ପୀଙ୍କ ପୋଷ୍ଟମର୍ଟମ ପରେ ପାର୍ଥିବ ଶରୀରକୁ କୋଲକାତାରେ ତୋପ ସହିତ ସ୍ୟାଲୁଟ ଦିଆଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ ।
କେକେ ଗତ ସୋମବାର କୋଲକାତାରେ ଏକ କନସର୍ଟ କରିବାକୁ ଆସିଥିଲେ । କନସର୍ଟ ପରେ ଅଚାନକ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିଲା । ସେଠାରେ ସେ ତଳେ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୫୩ ବର୍ଷ ବୟସରେ କେକେଙ୍କର ପରଲୋକ ହୋଇଯାଇଛି ।
ସୂଚନାଯୋଗ୍ୟ, ୨ଦିନିଆ ଗସ୍ତରେ କେକେ ସୋମବାର ଗୋଟିଏ କନସର୍ଟର ଅୟୋଜନ କରିଥିଲେ । ବିବେକାନନ୍ଦ କଲେଜରେ ସେ କାର୍ଯ୍ୟକ୍ରମ କରିଥିଲେ । କିନ୍ତୁ ଦ୍ୱିତୀୟ ଦିନ କନସର୍ଟ ପରେ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିଥିଲା । ଦେଖୁ ଦେଖୁ ସେ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ, ଯେଉଁଠାରୁ ଆଉ କେହି ଫେରନ୍ତି ନାହିଁ ।