କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଚଳିତ ଥର ନିର୍ବାଚନ ମଇଦାନରେ ମୋଟ୍ ୨୬୧୫ ଜଣ ପ୍ରାର୍ଥୀ ରହିଛନ୍ତି । ବିଜେପି ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେଇଛି । କଂଗ୍ରେସ ୨୨୩ ଆସନରେ ନିର୍ବାଚନ ଲଢୁଥିବା ବେଳେ ଜେଡିଏସ୍ ୨୦୯ ଆସନରେ ନିର୍ବାଚନ ଲଢୁଛି । ସେହିପରି ଆମ୍ ଆଦମୀ ପାର୍ଟି ୨୦୯ ଆସନରେ ପ୍ରାର୍ଥୀ ଦେଇଛି । ୫୮ ହଜାର ୨୮୨ ମତଦାନ କେନ୍ଦ୍ର ରହିଛି । ମୋଟ୍ ୫ କୋଟି ୨୧ ଲକ୍ଷ ଭୋଟରଙ୍କ ମଧ୍ୟରୁ ୨ କୋଟି ୫୯ ଲକ୍ଷ ମହିଳା ଭୋଟର ଓ ୨ କୋଟି ୬୨ ଲକ୍ଷ ପୁରୁଷ ଭୋଟର ଅଛନ୍ତି । ତେବେ ସକାଳ ୯ ଟା ସୁଦ୍ଧା ୮.୨୧ପ୍ରତିଶତ ମତଦାନ ହୋଇଛି ।