କଟକ ଜିଲ୍ଲା ସାଲେପୁର ବିଧାନସଭା ଆସନ ପାଇଁ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଭିନେତା ତଥା ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ। ସେହିପରି ଏହି ଆସନ ପାଇଁ ବିଜେଡି ତରଫରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରଶାନ୍ତ ବେହେରା। ସେମାନେ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ସେମାନେ ନାମାଙ୍କନ ପତ୍ର ଦାଖଲ କଲା ବେଳେ ସେମାନଙ୍କ ସମର୍ଥକ ଅର୍ଥାତ୍ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।ପୋଲିସ ଉପସ୍ଥିତରେ ଏସବୁ ଘଟିଥିଲା। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅରିନ୍ଦମ କହିଛନ୍ତି ସାଲେପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ମାନେ ମଧ୍ୟ ଜାଗ୍ରତ ହେଇ ସାରିଲେଣି l ଏଥର ଟାଙ୍ଗୀ ସାଲେପୁରରେ ଜଣେ ନୂଆ ମୁହଁ ଆସିବ ବୋଲି ମୋର ବିଶ୍ୱାସ ଏବଂ ଭରଷା l ଏଠି ଜନ ସାଧାରଣଙ୍କର ମୌଳିକ ସୁବିଧା ପାଣି ଯାହାକି ସେଥିରୁ ଲୋକମାନେ ବଞ୍ଚିତ ହେଉଛନ୍ତି l ଶାସକ ଦଳ ଏଠି ଖାଲି ଲୋକଙ୍କୁ ଭୁଆ ବୁଲାଇ ସେମାନଙ୍କୁ ଭକୁଆ ବନାଉଛି l କିନ୍ତୁ ଏଥର ସାଧାରଣ ନିର୍ବାଚନରେ ଟାଙ୍ଗୀ ସାଲେପୁର ବାସୀ ଗୋଟେ ନୂଆ ମୁହଁ ଦେଖିବେ ଏବଂ ବିଜେପି ବିପୁଳ ମାତ୍ରରେ ଭୋଟ ପାଇ ଜୟଯୁକ୍ତ ହେବ ବୋଲି କହିଛନ୍ତି ଅରିନ୍ଦମ ରାୟ l