ସିବିଏସଇ: ଏବେ ବୋର୍ଡ ପରୀକ୍ଷା ପାଇଁ ଏସସି,ଏସଟି ଛାତ୍ରଙ୍କୁ ଦେବାକୁ ପଡ଼ିବ ୨୪ ଗୁଣ ଅଧିକ ଫି
Khabar Odisha:Education-Odisha-cbse-fixed-news-examination-fee-for-sc-st-and-general-students
ନୂଆଦିଲ୍ଲୀ, ଅଗଷ୍ଟ୧୧(ଖବର ଓଡ଼ିଶା):

 କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଅନୁସୂଚିତ ଜାତି(ଏସସି) ଓ ଅନୁସୂଚିତ ଜନଜାତି(ଏସଟି) ବର୍ଗର ଛାତ୍ରଙ୍କ ପାଇଁ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷାର  ଫି ୨୪ ଗୁଣ ବୃଦ୍ଧି କରିଛି। ଏବେ ଏହି ବର୍ଗର ଛାତ୍ରଙ୍କୁ ୫୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କା ଦେବାକୁ ପଡ଼ିବ। ଅନ୍ୟ ପଟେ ସାଧାରଣ ବର୍ଗର ଛାତ୍ରଙ୍କ ପରୀକ୍ଷା ଫିରେ ମଧ୍ୟ ଦୁଇ ଗୁଣ ବୃଦ୍ଧି କରାଯାଇଛି। ଏବେ ସେମାନଙ୍କୁ ୭୫୦ ଟଙ୍କା ଜାଗାରେ ୧୫୦୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ। 

ଦଶମ ବୋର୍ଡ ପରୀକ୍ଷା ପାଇଁ ଛାତ୍ରଙ୍କୁ ନବମ ଶ୍ରେଣୀରେ ଏବଂ ଦ୍ଵାଦଶ ବୋର୍ଡ ପରୀକ୍ଷା ପାଇଁ ଛାତ୍ରଙ୍କୁ ଏକାଦଶ ଶ୍ରେଣୀରେ ନାମ ପଞ୍ଜୀକରଣ କରିବାକୁ ପଡ଼ିଥାଏ। ସିବିଏସଇ ଗତ ସପ୍ତାହରେ ଫି ବୃଦ୍ଧିର ବିଜ୍ଞପ୍ତି ଜାରି କରିଛି ଏବଂ ଯେଉଁ ସ୍କୁଲଗୁଡିକରେ ପୁରୁଣା ବ୍ୟବସ୍ଥା ଆଧାରରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ସେଠାରେ ଛାତ୍ରଙ୍କଠୁ ନୂତନ ନିର୍ଦ୍ଧାରିତ ଫି ଆଦାୟ କରିବାକୁ କୁହାଯାଇଛି।

ଅଧିକାରୀ କହିଛନ୍ତି ଯେ, ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅତିରିକ୍ତ ବିଷୟ ପାଇଁ ଏସସି/ଏସଟି ଛାତ୍ରଙ୍କୁ ୩୦୦ ଟଙ୍କା ଅତିରିକ୍ତ ଫି ଦେବାକୁ ପଡ଼ିବ। ପୂର୍ବେ ଅତିରିକ୍ତ ବିଷୟ ପାଇଁ ଏହି ବର୍ଗର ଛାତ୍ରଙ୍କୁ କୌଣସି ଫି ଦେବାକୁ ପଡ଼ୁନଥିଲା। ସାଧାରଣ ବର୍ଗର ଛାତ୍ରଙ୍କୁ ମଧ୍ୟ ଅତିରିକ୍ତ ବିଷୟ ପାଇଁ ୧୫୦ ଟଙ୍କା ବଦଳରେ ୩୦୦ ଟଙ୍କା  ଫି ଦେବାକୁ ପଡ଼ିବ। ଅଧିକାରୀ କହିଛନ୍ତି ଯେ ଶତ ପ୍ରତିଶତ ଦୃଷ୍ଟିହୀନ ଛାତ୍ରଙ୍କୁ ସିବିଏସଇ ପରୀକ୍ଷା ଫି ସଂପୂର୍ଣ୍ଣ ଭାବେ ଛାଡ଼ କରାଯାଇଛି। ମାତ୍ର ଯେଉଁ ଛାତ୍ର ଅନ୍ତିମ ତାରିଖ ପୂର୍ବରୁ ନୂତନ ଦର  ହିସାବରେ ଫି ଜମା କରିବେ ନାହିଁ ସେମାନଙ୍କର ପଞ୍ଜୀକରଣ ହେବ ନାହିଁ ଓ  ସେମାନଙ୍କୁ ୨୦୧୯-୨୦ ପରୀକ୍ଷାରେ ବସିବାକୁ ଅନୁମତି ମିଳିବ ନାହିଁ।

ସ୍ଥାନାନ୍ତରଣ ଫି(ମାଇଗ୍ରେସନ ଫି) ମଧ୍ୟ ୧୫୦ ରୁ ବଢାଇ ୩୫୦ ଟଙ୍କା କରାଯାଇଛି। ବିଦେଶ ସ୍ଥିତ ସିବିଏସଇ ସ୍କୁଲରେ ପଢୁଥିବା ଛାତ୍ରଙ୍କୁ ଏବେ ପାଞ୍ଚଟି ବିଷୟର ବୋର୍ଡ ପରୀକ୍ଷା ଶୁଳ୍କ ରୂପେ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ। ପୂର୍ବେ ଏହି ଫି ୫୦୦୦ ଟଙ୍କା ଥିଲା। ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଅତିରିକ୍ତ ବିଷୟ ପାଇଁ ଏହି ଶ୍ରେଣୀର ଛାତ୍ରଙ୍କୁ ଏବେ ୧୦୦୦ ଟଙ୍କା ବଦଳରେ ୨୦୦୦ ଟଙ୍କା ଦେବାକୁ ପଡ଼ିବ। 

Subscribe

National International State Sports Entertainment