ଭୁବନେଶ୍ୱର: ସରକାର ଯେତେ ସଚେତନ କଲେ ମଧ୍ୟ ଲୋକେ ସାଇବର ଠକେଇରୁ ନିଜକୁ ରକ୍ଷା କରିପାରୁନାହାଁନ୍ତି । ଟିକେ ଟିକେ ଅସାବଧାନତା ସମ୍ପୂର୍ଣ୍ଣ ଆକାଉଣ୍ଟ ଖାଲି କରିଦେଉଛି । ପୁରୁଣା ଭୁବନେଶ୍ୱର ଅଞ୍ଚଳର ଜଣେ ମହିଳା ସାଇବର ଠକେଇର ଶିକାର ହୋଇଛନ୍ତି । ଜଣେ ଅଜଣା ବ୍ୟକ୍ତିଙ୍କ ଗୋଟିଏ କଲ୍ ଦ୍ୱାରା ମହିଳା ଜଣକ ୩୦ ଲକ୍ଷ ଟଙ୍କା ହରାଇଛନ୍ତି । ସାଇବର ଥାନା ପୋଲିସ ଆନ୍ଧ୍ର ପ୍ରଦେଶ ତିରୁପତି ଅଞ୍ଚଳର ଜି. ଚିରଞ୍ଜିବୀ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ।
ପ୍ରାପ୍ତ ସୂଚନା ଆଧାରରେ, ମହିଳାଙ୍କୁ ମହାରାଷ୍ଟ୍ର ମୁମ୍ବାଇରୁ ଏକ କଲ୍ ଆସିଥିଲା । ବ୍ୟକ୍ତି ଜଣକ ମୁମ୍ବାଇର କୋଲାବ ଥାନା ଅଧିକାରୀ ବୋଲି ପରିଚୟ ଦେଇ କହିଥିଲେ ଯେ ମହିଳାଙ୍କ ନାଁରେ ମାମଲା ରୁଜୁ ହୋଇଛି । ତାଙ୍କର ସମସ୍ତ ଟଙ୍କା ପଳେଇବ ବୋଲି କହିଥିଲେ । ଏହି ସମୟରେ ମହିଳା ଜଣକ ଭୟଭୀତ ହୋଇ ନିଜର ସମସ୍ତ ଟଙ୍କା ଉକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ । ପରେ ମହିଳା ଜଣକ ଆଉ ନିଜର ୩୦ ଲକ୍ଷ ଟଙ୍କା ଫେରି ପାଇନ ଥିଲେ । ଏହା ପରେ ସେ ସାଇବର ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ସାଇବର ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଠକକୁ ଗିରଫ କରିଛି । ସାଇବର ଥାନା ପୋଲିସ ତିରୁପତି ଅଞ୍ଚଳରୁ ଜି. ଚିରଞ୍ଜିବୀକୁ ଗିରଫ କରିଛି ।