ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପଦ୍ମପୁର ହାଟପଦା ସାହିରେ ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ଆକ୍ସନ୍ ମୁଡକୁ ଆସିଛି । ଏହି ମାମଲାରେ ପୋଲିସ ଏକକାଳୀନ ୨୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ସୂଚନା ମିଳିଛି । ଆକ୍ରମଣକାରୀଙ୍କ ମଧ୍ୟରେ ୭ ଜଣ ନାବାଳକ ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।
ଗତ କିଛି ଦିନ ତଳେ ଗାଁରେ ଜଣେ ବ୍ୟକ୍ତିଙ୍କର କୌଣସି କାରଣ ବଶତଃ ମୃତ୍ୟୁ ହୋଇଥିଲା । ହାଟପଦର ଭୈରବ ସାହୁ ତାଙ୍କୁ ଗୁଣି କରି ମାରିଦେଇଥିବା ଗାଁ ଲୋକେ ସନ୍ଦେହ କରିଥିଲେ । ଉକ୍ତ ସନ୍ଦେହ ଉଗ୍ରରୂପ ଧାରଣ କରିଥିଲା । ସୋମବାର ଦିନ ବିଳମ୍ବିତ ରାତିରେ ଉତ୍ୟକ୍ତ ଲୋକେ ଭୈରବ ସାହୁଙ୍କୁ ଘରୁ ଘୋଷାଡ଼ି ଆଣି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଖବର ପାଇ ପଦ୍ମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସମୟରେ ପଦ୍ମପୁର ଥାନା ଅଧିକାରୀ ଆକ୍ରୋଶର ଶିକାର ହୋଇଥିଲେ । ପୋଲିସ ଗୁରୁତର ଅବସ୍ଥାରେ ଭୈରବଙ୍କୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପଦ୍ମପୁର ପୋଲିସ ଶବକୁ ଜବତ କରିବା ସହ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରି, ହତ୍ୟାକାଣ୍ଡରେ ବ୍ୟବହୃତ ସମସ୍ତ ସାମଗ୍ରୀ ଜବତ କରିଛି ।
ପୋଲିସକୁ ଆକ୍ରମଣ ଓ ଗୁଣିଆ ସନ୍ଦେହରେ ହତ୍ୟା କରିବା ଘଟଣାରେ ପୃଥକ ପୃଥକ ୨ଟି ମାମଲା ରୁଜୁ କରିଛି । ଏହି ମାମଲାରେ ମୋଟ ୨୮ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ କେଉଁମାନଙ୍କର ସମ୍ପୃକ୍ତି ରହିଛି ତାହାର ଖୋଳତାଡ଼ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ । ଗତକାଲି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସନ୍ଧ୍ୟା ସମୟରେ ସାହିରେ ପୋଲିସ ଫ୍ଲାଗ ମାର୍ଚ୍ଚ ମଧ୍ୟ କରିଥିଲା l
ଅନ୍ୟପକ୍ଷରେ ମୃତ ଭୈରବଙ୍କ ଝିଅ କହିଛନ୍ତି ମୃତ୍ୟୁବରଣ କରିଥିବା ଜନୈକ ବ୍ୟକ୍ତି ଜଣକ ଦୀର୍ଘ ଦିନ ହେଲାଣି ଅସୁସ୍ଥ ଥିଲେ । ଏହା ପରେ ତାଙ୍କର ମୃତ୍ୟୁ ହୋଇଛି । ଏଥିରେ ତାଙ୍କ ବାପାଙ୍କର କୌଣସି ସମ୍ପୃକ୍ତି ନ ଥିବା ବୋଲି ସେ କହିଛନ୍ତି ।