ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲାରୁ ରେଡ୍ ପ୍ଲାଗ୍ ଅନ୍ତର୍ଭୁକ୍ତ କରିବାକୁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁର ସ୍ୱତନ୍ତ୍ର ଟିମ୍ ତଦନ୍ତ କରିବ । ସିଏଡବ୍ଲ୍ୟୁ ମୁଖ୍ୟ ଏସ୍ ସାଇନି ଘଟଣାକୁ ତଦାରଖ କରିବା ସହିତ ତଦନ୍ତରେ ୪ ମହିଳା ଡିଏସପି ସହଯୋଗ କରିବେ । ଘଟଣାର ପର୍ଦ୍ଦାଫାସ୍ କରିବାକୁ ଝାଡ଼ଖଣ୍ଡ ପୋଲିସ ସହିତ ଓଡ଼ିଶା ପୋଲିସ ଯୋଗାଯୋଗ କରିବ । ଆସନ୍ତାକାଲିଠାରୁ ରେଡ୍ ପ୍ଲାଗ୍ କରାଯାଇ ତଦନ୍ତ ଜୋରଦାର କରିବ କମିଶନରେଟ୍ ପୋଲିସ ।
ଗତ ୧୬ ତାରିଖ, ଗୁରୁବାର ରାତିରେ ଜଣେ ମହିଳା ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇକି ଆସିଥିଲେ । ଉକ୍ତ ନାବାଳିକା ଜଣକ ଝାଡ଼ଖଣ୍ଡର ଅଟନ୍ତି । ନାବାଳିକାଙ୍କର ପ୍ରବଳ ରକ୍ତ ସ୍ରାବ ହେଉଥିବାରୁ ଡାକ୍ତର ଗଣଦୁଷ୍କର୍ମ ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ । ପୀଡ଼ିତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେପଟେ ମଉକା ଦେଖି ମହିଳା ଜଣକ ଏକ ଅନଲାଇନ ଅଟୋରେ ଫେରାର ହୋଇଯାଇଥିଲେ । ପୋଲିସ ଏକ ଅଟୋକୁ ଧରିବା ପରେ ଲକ୍ଷ୍ମୀସାଗରରେ ଚେର ବାହାରିଥିଲା । ଆହୁରି ଅଧିକ ତଦନ୍ତ କରିବା ପରେ ଏଥିରେ ସେକ୍ସ ରାକେଟ୍ ଥିବା ଜଣାପଡ଼ିଥିଲା । ପୋଲିସ ଏହି ମାମଲାରେ ଦୁଇ ଜଣ ମହିଳା ମମତା ସାହୁ, ମଞ୍ଜୁ ସେଠୀ, ଘର ମାଲିକ ସଞ୍ଜୀବ କୁମାର ଦାସ ଏବଂ ମାଲିକର ସହଯୋଗୀ ଅବିନାଶ ମୁଦୁଲି ଗିରଫ ହୋଇଛନ୍ତି । ସେପଟେ ସେକ୍ସ ରାକେଟ୍ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି ।