ଭୁବନେଶ୍ୱର: ଗଞ୍ଜେଇ ଚୋରା ଚାଲାଣ ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା କମିଶନରେଟ ପୁଲିସ । ଶେଷରେ ଗଞ୍ଜେଇ ବୋଝେଇ ଗାଡ଼ିକୁ ଛାଡ଼ି ବେପାରୀ ଫେରାର ହୋଇଯାଇଛନ୍ତି । ପୁଲିସ ସମ୍ପୃକ୍ତ ଗାଡ଼ିକୁ ଅଟକ ରଖିଛି । କାରରେ ଏକ କ୍ୟୁଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇକୁ ଜବତ କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଫୁଲବାଣୀରୁ ଏକ ମାରୁତି ଗାଡ଼ିରେ (OD 02 CW 8828) ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଭୁବନେଶ୍ୱର କମିଶନରେଟ୍ ପୁଲିସକୁ ଖବର ମିଳିଥିଲା । ଏହା ପରେ ପୁଲିସର ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ଉପକଣ୍ଠସ୍ଥ ତୋମାଣ୍ଡୋରେ ନିକଟରେ ରୋଡ୍ ବନ୍ଦ କରିଥିଲା । ଏହା ପରେ ସେହି ବାଟ ଦେଇ ଯାଉଥିବା ଗଞ୍ଜେଇ ବୋଝେଇ ଗାଡ଼ି ପୁଲିସକୁ ଦେଖି ଫେରାର ହେବାକୁ ଚେଷ୍ଟା କରିଥିଲା । ପୁଲିସ ଉକ୍ତ ଗାଡ଼ିକୁ ପିଛା କରିଥିଲା । ସେପଟେ ବାଟ ନ ପାଇ କାରଟି ଜାଗସରା ରାସ୍ତା ଦେଇ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ବିଲ ଭିତରେ ପଶିଥିଲା । ସେଠାରେ କାରଟି ଭାରସାମ୍ୟ ହରାଇ ଏକ ପଥରକୁ ଧକ୍କା ଦେଇଥିଲା ଏବଂ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଶେଷରେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ ଦୁଇ ବେପାରୀ ।
ସେପଟେ ପୁଲିସଟି ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ସେଠାରେ ପହଁଚିଥିଲା । ପୁଲିସ ଟିମ ଗାଡ଼ି ସହ ଗଞ୍ଜେଇକୁ ଜବତ କରିଛି । କିଏ ଗଞ୍ଜେଇ ଚାଲାଣ କରୁଥିଲା ଏବଂ ଏଥିରେ କିଏ କିଏ ସାମିଲ ଅଛନ୍ତି ସେ ପୁଲିସ ତଦନ୍ତ ଆରମ୍ଭ କରିଛି ।