ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲାମାନ ଖାନଙ୍କୁ ହତ୍ୟା କରିବାକୁ ସୁଟର ପଠାଇଥିବା ଗ୍ୟାଙ୍ଗ ଷ୍ଟାର ଅନମୋଲ ବିଷ୍ଣୋଇକୁ ଭାରତ ଫେରିବ । ଏଥିପାଇଁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ତାକୁ ଆମେରିକାରୁ ଭାରତ ଅଣାହେବ । ଏଥିପାଇଁ କ୍ରାଇମବ୍ରାଞ୍ଚ କୋର୍ଟଙ୍କ ଅନୁମତି ଲୋଡ଼ିଥିବା ଜଣାପଡ଼ିଛି ।
ଅଭିନେତା ସଲମାନଙ୍କ ବାସ ଭବନ ଉପରକୁ ଗୁଳି ମାଡ଼ କରିବା ଘଟଣାରେ ମୁମ୍ବାଇ ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରହିଛି ଅନମୋଲ । ତା ନାଁରେ ୧୭ରୁ ଅଧିକା ମାମଲା ରହିଛି । ଏହା ସହିତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ମଧ୍ୟ ସେ ଜଡ଼ିତ ରହିଛି । ସେହିପରି ଅକ୍ଟୋବର ୧୩ ତାରିଖରେ ଏନସିପି ନେତା ବାବା ସିଦ୍ଧିକିଙ୍କୁ କରାଯାଇଥିବା ହତ୍ୟାକାଣ୍ଡରେ ଯେଉଁ ବନ୍ଧୁକ ବ୍ୟବହାର କରାଯାଇଥିଲା ତାକୁ ମଧ୍ୟ ଅନମୋଲ ବିଷ୍ଣୋଇ ଯୋଗାଇ ଥିଲା ବୋଲି ସନ୍ଦେହ କରାଯାଉଛି ।
ତେଣୁ ତାକୁ ଭାରତ ଫେରାଇ ଆଣିବାକୁ କ୍ରାଇମ ବ୍ରାଞ୍ଚ ସେସନ କୋର୍ଟଙ୍କ ଅନୁମତି ଲୋଡ଼ିଛି । ଏଥି ଆବଶ୍ୟକୀୟ ଦସ୍ତାବିଜ ମଧ୍ୟ ଉପସ୍ଥାପନ କରାଯାଇଥିବା ଜଣାପଡ଼ିଛି । ଏହା ସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ସମସ୍ତ କାଗଜ ପତ୍ର ପଠା ଯାଇପାରେ ।
ଗ୍ୟାଙ୍ଗ ଷ୍ଟାର ଲରେନ୍ସ ବିଷ୍ଣୋଇ ଭାଇ ଅନମୋଲ ବିଷ୍ଣୋଇ (୨୫) । ସେ ଭାରତରୁ ପଳାୟନ କରି ଆମେରିକାରେ ଲୁଚି ରହିଛି । ୨୦୨୩ରେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ଅନମୋଲ ବିଷ୍ଣୋଇ ସାମିଲ ଥିବା ତଦନ୍ତକାରୀ ଦଳ ସ୍ପଷ୍ଟ କରିଛି । ଏଥିପାଇଁ ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇଛି । ସେ ଜାଲ ପାସପୋର୍ଟ ବନାଇ ଭାରତ ଫେରାର ହୋଇଯାଇଥିବା ଜଣାପଡ଼ିଛି ।
ସେ ବାରମ୍ବାର ନିଜର ଠିକଣା ବଦଳାଇ ଚାଲିଛି । ଗତବର୍ଷ ଲେ କେନିୟାରେ ରହୁଥିଲା । ଏ ବର୍ଷ ତାକୁ କାନାଡ଼ାରେ ଦେଖିବାକୁ ମିଳିଥିଲା । ଏକାଧିକ ଅପରାଧିକ ମାମଲାରେ ସେ ପୂର୍ବରୁ ଯୋଧପୁର ଜେଲରେ ଥିଲା । ମାତ୍ର ୨୦୨୧, ଅକ୍ଟୋବର ୭ ତାରିଖରେ ସେ ଜାମିନରେ ମୁକୁଳିଥିଲା ।