ବୌଦ୍ଧ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୌଦ୍ଧ ଜିଲ୍ଲାରେ ଜଣେ ସରପଞ୍ଚ ଜଣେ ଯୁବକଙ୍କୁ ଗୁଳି ମାଡ଼ କରିଥିବା ଅଭିଯୋଗ ହୋଇଛି । ଫଳରେ ସଂପୃକ୍ତ ଯୁବକ ଜଣକ ଗୁରୁତର ହୋଇପଡ଼ିଛନ୍ତି । ଗୁରତର ଯୁବକ ଜଣକ ହେଲେ ମନମୁଣ୍ଡା ଥାନା ଅନ୍ତର୍ଗତ କସୁରବନ୍ଧ ଗାଁର ରାଜେନ୍ଦ୍ର କର୍ଣ୍ଣ । ତାଙ୍କୁ ସୋନପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୯ଟା ସମୟରେ କସୁରବନ୍ଧ ସରପଞ୍ଚ ସରୋଜ କର୍ଣ୍ଣ ଏବଂ ତାଙ୍କ ପରିବାର ସହିତ ରାଜେନ୍ଦ୍ର କର୍ଣ୍ଣଙ୍କର କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ପରେ ସରପଞ୍ଚ ସରୋଜ କର୍ଣ୍ଣ ଉତ୍ତ୍ୟକ୍ତ ହୋଇ ରାଜେନ୍ଦ୍ରଙ୍କ ଉପରକୁ ତିନି ରାଉଣ୍ଡ ଗୁଳି କରିଥିଲେ । ରାଜେନ୍ଦ୍ରଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଥିବାବେଳେ ସେ ସେଠାରେ ପଡ଼ିଯାଇଥିଲେ । ଏହା ପରେ ସରପଞ୍ଚ, ତାଙ୍କ ବାପା ଏବଂ ଭାଇ ରାଜେନ୍ଦ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।
ରାଜେନ୍ଦ୍ର ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ପ୍ରଥମେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ସୋନପୁରକୁ ସ୍ଥାନାନ୍ତର କରାଯାଇଛି । ଏନେଇ ସରପଞ୍ଚ, ତାଙ୍କ ବାପା ଏବଂ ଭାଇଙ୍କ ନାଁରେ ରାଜେନ୍ଦ୍ରଙ୍କ ପରିବାର ପକ୍ଷରୁ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୁଲିସ ମାମଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ।