ପାଟଣା: ପାଟଣା-ଗୟା ମୁଖ୍ୟରାସ୍ତାର ବିରଂଚୀ ବୁଣାଣୀସ୍ଥିତ ଏକ ଘରୋଇ ବ୍ୟାଙ୍କରେ ଦୁର୍ବୃତ୍ତମାନେ ଆତଙ୍କରାଜ ସୃଷ୍ଟି କରିଛନ୍ତି। ଏଠାରେ ଥିବା ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ଶୁକ୍ରବାର ଦିନ ଦି’ପ୍ରହରରେ ୫ ଜଣ ଦୁର୍ବୃତ୍ତ ପ୍ରବେଶ କରିଥିଲେ ଏବଂ ନଗଦ ୨୮ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଥିଲେ। ତେବେ ଦୁର୍ବୃତ୍ତମାନେ ଫେରାର ହେବା ପୂର୍ବରୁ ବ୍ୟାଙ୍କର କର୍ମଚାରୀମାନଙ୍କୁ ୨୦ ମିନିଟ ଯାଏଁ ଭୟଭୀତ କରିଥିଲେ। ଦୁର୍ବୃତ୍ତମାନେ ଫେରାର ହେବା ପରେ ପୁଲିସକୁ ଘଟଣା ସଂପର୍କରେ ସୂଚନା ମିଳିଥିଲା। ଏହି ଅଞ୍ଚଳକୁ ନାକାବନ୍ଦୀ କରି ଯାନବାହନ ଯାଞ୍ଚ କରାଯାଇଥିଲା। କିନ୍ତୁ ଅଭିଯୁକ୍ତମାନଙ୍କ ସଂପର୍କରେ ପୁଲିସକୁ କୌଣସି ସୂଚନା ମିଳିପାରି ନାହିଁ।
ବ୍ୟାଙ୍କର ପରିଚାଳକ ଧର୍ମେନ୍ଦ୍ର କୁମାରଙ୍କ ଲିଖିତ ଅଭିଯୋଗରେ ପୁଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ପାଟଣା ଏସ୍ପି (ଗ୍ରାମାଞ୍ଚଳ) ରୋଶନ କୁମାର କହିଛନ୍ତି, ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଯଥାସମ୍ଭବ ଉଦ୍ୟମ କରାଯାଉଛି। କୁହାଯାଉଛି ଯେ, ଅପରାହ୍ଣ ସମୟରେ ମଧ୍ୟାହ୍ନ ଭୋଜନ ସମୟ ଥିଲା। ବ୍ୟାଙ୍କର ମୁଖ୍ୟ ପ୍ରବେଶ ଦ୍ବାର ବନ୍ଦ ଥିଲା। ଏହି ସମୟରେ ୩ଟି ବାଇକରେ ୫ ଜଣ ଦୁର୍ବୃତ୍ତ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ସେମାନେ ଯେତେବେଳେ ଦ୍ବାର ଫିଟାଇବାକୁ କହିଲେ, ସୁରକ୍ଷା କର୍ମୀ କହିଲେ, ଏବେ ବ୍ୟାଙ୍କ ବନ୍ଦ ଅଛି। କିନ୍ତୁ ଦୁର୍ବୃତ୍ତମାନେ କହିଥିଲେ, ଟଙ୍କା ଜମା କରିବାର ଅଛି। ଫଳରେ ସୁରକ୍ଷା କର୍ମୀ ଦ୍ବାର ଖୋଲି ଦେଇଥିଲେ। କିନ୍ତୁ ଯେତେବେଳେ ଦୁର୍ବୃତ୍ତମାନେ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ, ସେମାନେ ସୁରକ୍ଷା କର୍ମୀଙ୍କ ମୁଣ୍ଡ ଉପରେ ବନ୍ଧୁକ ରଖିଥିଲେ। ସେହିପରି ବ୍ୟାଙ୍କର ଅନ୍ୟ ୩ ଜଣ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ। ମୋବାଇଲ ନେଇଯାଇ ଗୋଟିଏ କୋଠରିରେ ଭର୍ତ୍ତି କରିଦେଇଥିଲେ।
ଘଟଣା ସମୟରେ କିଛି କର୍ମଚାରୀ ବାହାରେ ଖାଉଥିଲେ। ଏହା ପରେ ଦୁଇ ଜଣ ଦୁର୍ବୃତ୍ତ ବ୍ୟାଙ୍କର ଉପର ମହଲାକୁ ଯାଇଥିଲେ। ସେଠାରେ କିଛି କର୍ମଚାରୀ ଖାଉଥିଲେ। ସେମାନଙ୍କୁ ଗାଧୁଆ ଘର ଭିତରେ ଭର୍ତ୍ତି କରିଦେଇଥିଲେ। ଶେଷରେ ବ୍ୟାଙ୍କରୁ ନଗଦ ୨୮ ହଜାର ୧୦୦ ଟଙ୍କା ନେଇ ଫେରାର ହୋଇଯାଇଥିଲେ।