ଲକ୍ଷ୍ନୌ: ଡିଜିଟାଲ ଗିରଫ କରି ଠକିବା ଘଟଣା କ୍ରମାଗତ ଭାବେ ବଢ଼ିଚାଲିଛି। ଏସ୍ଜିପିଜିଆଇର ଏସୋସିଏଟ୍ ପ୍ରୋଫେସରଙ୍କ ଠାରୁ କୋଟିଏ ଟଙ୍କା ଠକିବା ପରେ ଏବେ ସାଇବର ଅପରାଧୀମାନେ ଲକ୍ଷ୍ନୌର ଅବସରପ୍ରାପ୍ତ ପ୍ରୋଫେସରଙ୍କୁ ଟାର୍ଗେଟ କରିଛନ୍ତି। ଅବସରପ୍ରାପ୍ତ ପ୍ରୋଫେସରଙ୍କୁ ପାଖାପାଖି ୪୮ ଘଣ୍ଟା ପର୍ଯ୍ୟନ୍ତ ଡିଜିଟାଲ ଗିରଫ କରିବା ସହ ୫୪ ଲକ୍ଷରୁ ଅଧିକ ଟଙ୍କା ନେଇଛନ୍ତି। ଏନେଇ ସ୍ଥାନୀୟ ସାଇବର ଥାନାରେ ଅଭିଯୋଗ ହୋଇଛି।
ଲକ୍ଷ୍ନୌରେ ସାଇବର ଅପରାଧୀମାନେ ଜଣେ ଅବସରପ୍ରାପ୍ତ ପ୍ରୋଫେସରଙ୍କୁ ଡିଜିଟାଲ ଗିରଫ କରି ୫୪ ଲକ୍ଷ ୬୧ ହଜାର ଟଙ୍କା ଠକି ନେଇଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇନ୍ଦିରାନଗର ସେକ୍ଟର-୧୬ ନିବାସୀ ତଥା ଅବସରପ୍ରାପ୍ତ ପ୍ରୋଫେସର ଇନ୍ଦିରା ରାୟ ଏହି ଠକେଇର ଶିକାର ହୋଇଛନ୍ତି। ଗତ ୧୨ ତାରିଖ ଦିନ ତାଙ୍କ ନିକଟକୁ ଏକ ଅଜଣା ମୋବାଇଲରୁ ଫୋନ ଆସିଥିଲା। କଲ କରିଥିବା ବ୍ୟକ୍ତି ଜଣକ ନିଜକୁ ଦିଲ୍ଲୀ ପୁଲିସର ଇସ୍ପେକ୍ଟର ନେହରା କହିଥିଲା। ଠକ ପୁଲିସ ଅଧିକାରୀ କହିଥିଲା ଯେ, ତାଙ୍କର (ପ୍ରୋପେସର) ଆଧାରକାର୍ଡ ମାଧ୍ୟମରେ ଏଚଡିଏଫ୍ସିରେ ଏକ ବ୍ୟାଙ୍କ ଆକଉଣ୍ଟ ଖୋଲାଯାଇଛି। ଏଥିରେ ମିଲିୟନ ଡଲାର ଟଙ୍କା ଆସିଛି। ଏହି ଆକାଉଣ୍ଟରେ ଟଙ୍କା ଠକେଇ କରାଯାଇଛି। ଆଧାରକାର୍ଡ ମାଧ୍ୟମରେ ଏକ ମୋବାଇଲ ସିମ କିଣାଯାଇଛି, ଯେଉଁଥିରେ ନିଶା ଦ୍ରବ୍ୟ ଚାଲାଣ କରାଯାଉଛି। ଏହି ମାମଲାରେ ଦିଲ୍ଲୀରେ ଏକ ମାମଲା ରୁଜୁ ହୋଇଛି।
ଠକ ବ୍ୟକ୍ତିଜଣକ ବରିଷ୍ଠ ମହିଳାଙ୍କୁ ଦିଲ୍ଲୀ ଆସି ବୟାନ ରେକର୍ଡ କରିବାକୁ କହିଥିଲା। ମହିଳା ଜଣକ ଅସମର୍ଥତା ଜଣାଇବାରୁ କଲ କରିଥିବା ବ୍ୟକ୍ତି ଜଣକ କହିଥିଲା, ବରିଷ୍ଠ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରି କହୁଛି। କିଛି ସମୟର ଅନ୍ତରାଳେ ବରିଷ୍ଠ ମହିଳାଙ୍କୁ ଠକ ବ୍ୟକ୍ତି ଭିଡିଓ କଲ କରିଥିଲା। ସେ ପୁଲିସ ପୋଶାକ ପିନ୍ଧିଥିଲା। ମହିଳା ଜଣକ ଠକର କୌଶଳ ବୁଝି ନ ପାରି ମାମଲାର ସମାଧାନ ପାଇଁ ୫୪ ଲକ୍ଷ ୬୧ ହଜାର ଟଙ୍କା ଟ୍ରାନ୍ସଫର କରିଦେଇଥିଲେ। କିନ୍ତୁ ପରେ ସେ ଜାଣିବାକୁ ପାଇଲେ ଯେ, ସାଇବର ଠକମାନଙ୍କର ଦ୍ବାରା ଠକେଇର ଶିକାର ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଦାବିକୁ ପ୍ରତ୍ୟାଖ୍ୟାନ କଲା ଭାରତ