ଖପ୍ରାଖୋଲ ପୋଲିସକୁ ବଡ ସଫଳତା। ତଦନ୍ତର ୨୪ ଘଣ୍ଟା ଭିତରେ ହତ୍ଯା ଅଭିଯୁକ୍ତଙ୍କୁ ଧରିଲା ପୋଲିସ। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଧଣ୍ଡମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମାଲପଡା ଗ୍ରାମର ଛତ୍ରପାଲ ମଲ୍ଲିକଙ୍କୁ ହତ୍ଯା କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।
ସୂଚନା ଅନୁଯାୟୀ ବୁଧବାର ଛତ୍ରପାଲଙ୍କ ବନ୍ଦ ଘରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ଏହାପରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଥିଲା ।
ପୋଲିସ ସୂଚନା ଅନୁସାରେ ଘଟଣାଟି ଠିକ୍ ଥିଲା ଏମିତି ଗତ ମାର୍ଚ୍ଚ ମାସ ୨୯ ତାରିଖ ରାତି ୧୨ ଟାରେ ଏହି ଜଘନ୍ୟ ହତ୍ୟା କାଣ୍ଡ ଘଟିଥିଲା l ଚାରିଦିନ ବିତିଯାଇଥିଲେ ସୁଦ୍ଧା ପରିବାର ଲୋକ କିମ୍ବା ପଡିଶା ଲୋକ କେହି ଜାଣିପାରିନଥିଲେ । ୩ ତାରିଖ ଦିନ ମୃତକର ଘର ଭିତରୁ ଅତ୍ୟନ୍ତ ଦୁର୍ଗନ୍ଧ ବାହାରୁ ଥିବାରୁ ପୋଲିସକୁ ଖବର କରିଥିଲେ ପରିବାର ଲୋକ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଲିସ କବାଟ ଖୋଲି ରକ୍ତ ଜୁଡ଼ୁବୁଡ଼ୁ ଗଳିତ ଅବସ୍ଥାରେ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମକଦ୍ଦମା ରୁଜୁ କରି ଥିଲା । ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ଙ୍କ ପ୍ରତିନିଧିତ୍ୱ ରେ ଏକ ଟିମ ଗଠନ କରି ଘଟଣାର ତଦନ୍ତରେ ଲାଗିପଡ଼ିଥିଲା। ଘଟଣାର ଟିକିନିଖି ଯାଞ୍ଚ କରିଥିବାବେଳେ ସନ୍ଧାନୀ କୁକୁର ହତ୍ୟାକାରୀର ଘରକୁ ଚି଼ହ୍ନଟ କରିବାରେ ସକ୍ଷମ ହୋଇଥିଲା ।
୨୪ ଘଣ୍ଟା ମଧ୍ୟରେ ଘଟଣାରେ ସମ୍ପୃକ୍ତ ଦୁଇଜଣ ବ୍ୟକ୍ତି କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦୁଇଜଣ ହେଲେ ମାଲପଡା ଗ୍ରାମର ଅନିରୁଦ୍ଧ କୁଅଁର ଏବଂ ଗଜାନନ୍ଦ ଭୋଇ। ଉଭୟଙ୍କ ବୟସ ୧୯ ବର୍ଷ ବୋଲି ଜଣାପଡିଛି ।
ଅଭିଯୁକ୍ତ ଅନିରୁଦ୍ଧର କହିବା ଅନୁଯାୟୀ ସେ ସନ୍ଧ୍ୟା ସମୟରେ ମୃତକ ଙ୍କ ଘର ସମ୍ମୁଖରେ ଥିବା ବରଗଛ ତଳେ କୌଣସି ଝିଅ ସାଙ୍ଗ ସହିତ ଫୋନରେ ପାଟିତୁଣ୍ଡ କରୁଥିଲା ସେହି ସମୟରେ ମୃତକ ଛତ୍ରପାଲ ଅନିରୁଦ୍ଧକୁ ପାଟିତୁଣ୍ଡ କରିବାକୁ ମନା କରିଥିଲା ଏନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ସାମାନ୍ୟ କଥାକୁ ନେଇ ଅନିରୁଦ୍ଧ କୁଅଁର ରାତିଅଧରେ ମୃତକ ଛତ୍ରପାଲ କୁ ଟାଙ୍ଗିଆରେ ଆକ୍ରମଣ କରି ଲହୁ ଲୁହାଣ କରିଦେଇ ତା ସାଙ୍ଗକୁ ଫୋନ କରି ଡାକିଥିଲା । ପରେ ଦୁଇଜଣ ଅଭିଯୁକ୍ତ ମୃତକକୁ ଘରଭିତରେ ଛାଡ଼ିଦେଇ ବାହାରପଟୁ ତାଲାମାରି ଫେରାର ହୋଇ ଯାଇଥିଲେ। ଆଜି ଖପ୍ରାଖୋଲ ପୋଲିସ ଅଭିଯୁକ୍ତ ଅନିରୁଦ୍ଧ କୁ ସାଙ୍ଗରେ ନେଇ ମାଲପଡା ଗ୍ରାମରେ ସିନ ରିକ୍ରିଏସନ କରିଥିଲା । ଘଟଣାସ୍ଥଳ ରୁ କିଛି ଦୂରରେ ହତ୍ୟାକାରୀ ଟାଙ୍ଗିଆ କୁ ଫିଙ୍ଗି ଦେଇଥିବା ବେଳେ ପୋଲିସ ଟାଙ୍ଗିଆକୁ କବଜାରେ ନେଇଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୯୧/୨୦୨୪ ରେ ଭାରତୀୟ ପେନାଲକୋର୍ଡ ର ଧାରା ୩୦୨/୨୦୧/ ୧୨୦ବି ଅଧିନିୟମ ଅନୁଯାୟୀ ଏକ ମାମଲା ଋଜୁକରି ଦୁଇ ଅଭିଯୁକ୍ତକୁ ପାଟଣାଗଡ଼ କୋର୍ଟକୁ ପଠାଇ ଦେଇଛନ୍ତି। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।