ଗଞ୍ଜାମ ଜିଲ୍ଲାର ତମାନା ସଂରକ୍ଷିତ ଜଙ୍ଗଲରୁ ଚାରିଜଣ ଶିକାରୀଙ୍କୁ ପୋଲିସ ଗିରଫ କରିଛି । ପୋଲିସ କୁ ଦେଖି ଚମ୍ପଟ ମାରୁଥିବା ସମୟରେ ମାଡ଼ିବସିଥିଲା ଗୋଳନ୍ଥରା ପୋଲିସ। ସେମାନଙ୍କ ନିକଟରୁ ଜବତ କରିଛି ବିପୁଳ ପରିମାଣର ଜୀବନ୍ତ ଗୁଳି ଓ ବନ୍ଧୁକ।
ସୂଚନା ଅନୁସାରେ, ତମାନା ଜଙ୍ଗଲରେ ଅପରାଧିକ ଗତିବିଧି ସମ୍ପର୍କରେ ଏକ ସୂଚନା ମିଳିବ ପରେ ଗୋଳନ୍ଥରା ସାଦର ଥାନା ଏସଡିପିଓ ତାଙ୍କ ଟିମ୍ ସହିତ ଚଢ଼ାଉ କରିଥିଲେ। ପୋଲିସକୁ ଦେଖି ଅଭିଯୁକ୍ତମାନେ ଜଙ୍ଗଲ ଭିତରକୁ ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ଜାବୁଡ଼ି ଧରିଥିଲେ ପୋଲିସ ଟିମ୍। ସେମାଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ୧୨୫ଟି ଜୀବନ୍ତ ଗୁଳି, ୨୦୦ ଖାଲି କାର୍ଟ୍ରିଜ, ବିପୁଳ ପରିମାଣର ଗନ୍ ପାଉଡର ସହିତ ଶିଙ୍ଗ ଲାଗିଥିବା ଦୁଇଟି ହରିଣ ଖପୁରି ଜବତ ହୋଇଛି । ଅଭିଯୁକ୍ତମାନେ ସିଙ୍ଗାବାଡି ଗାଁର ପୂର୍ଣ୍ଣା ଗୌଡ଼, ମେଦିନୀପୁର ଗାଁର ଶଙ୍କର ପ୍ରଧାନ, ଭାଲିଆ ମଲିକ ଏବଂ କାହ୍ନଇପୁଟ୍ ଗାଁର ବୃନ୍ଦାବନ ମଲିକ ବୋଲି ଜଣାପଡିଛି। ଅଭିଯୁକ୍ତମାନେ ବହୁଚର୍ଚ୍ଚିତ କୁନା ବେହେରା ଗ୍ୟାଙ୍ଗର ସଦସ୍ୟ ବୋଲି ମଧ୍ୟ ସୂଚନା ମିଳିଛି।
ଅଧିକ ପଢନ୍ତୁ : ଇଣ୍ଡୋନେସିଆରେ ଟ୍ରେନ ଦୁର୍ଘଟଣା : ୨୨ ଆହତ