ନୂଆଦିଲ୍ଲୀ, ମେ ୧୪ (ଖବର ଓଡ଼ିଶା): ହରିୟାଣାର ସୋନପଥ ଜେଲରେ ଜଣେ ଦୁଷ୍କର୍ମ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ଅଭିଯୁକ୍ତ ୩ ଦିନ ପୂର୍ବରୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିଲେ । ୨୬ ବର୍ଷିଅ ଅଭିଯୁକ୍ତ ଏବେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜେଲରେ ଥିବା ଅନ୍ତେବାସୀ ଓ କର୍ମଚାରୀମାନେ ଭୟଭୀତ ହୋଇଯାଇଛନ୍ତି । ଅଭିଯୁକ୍ତଙ୍କ ସଂପର୍କରେ ଆସିଥିବା ବ୍ୟକ୍ତିମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏଥି ସହିତ ଅଭିଯୁକ୍ତକୁ ଗିରଫ କରିଥିବା ୪ ଜଣ ପୋଲିସ କର୍ମୀ ଓ ୩ ଜଣ ଜେଲ କର୍ମୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଛି ।
ଅଭିଯୁକ୍ତ ଅକ୍ଷୟ (ନାମ ପରିବର୍ତ୍ତନ)କୁ ଏବେ ଜେଲରୁ ପିଜିଆଇ ସ୍ଥାନାନ୍ତର କରାଯାଇଛି । ସୋନିପତ ମହିଳା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଜଣେ ୨୫ ବର୍ଷୀୟ ପୀଡ଼ିତା ଦୁଷ୍କର୍ମର ଶିକାର ହୋଇଥିଲେ । ଅଭିଯୁକ୍ତ ଅକ୍ଷୟ ୨୦୨୦ ମାର୍ଚ୍ଚ ୧୯ରେ ଚାକିରି ଦେବା ଲୋଭ ଦେଖାଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲା । ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଫେରାର ଥିଲା । କିନ୍ତୁ ୨ ଦିନ ପରେ ପୋଲିସ ତାକୁ ଗିରଫ କରିଥିଲା ।