ଭୁବନେଶ୍ୱର, ଜାନୁଆରୀ ୧୩(ଖବର ଓଡିଶା):
ରାଜ୍ୟରେ ଥମିବାର ନା ଧରୁନି ଧଳାଜହର କାରବାର । ପ୍ରତିଦିନ ରାଜ୍ୟରୁ ପୁଳା ଧଳାଜହର ଜବତ ହେଉଛି । ପୁଣି ଏସଟିଏଫ୍ ହାତରେ ବ୍ରାଉନସୁଗାର ବେପାରୀ ଧରାପଡିଛି । ଖୋର୍ଦ୍ଧା ଗୁରୁଜଙ୍ଗ ସାହିରେ ଏସଟିଏଫ ଚଢାଉ କରିଥିଲେ । ଏହି ଚଢାଉରେ ୩୧୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି ।
ଏହାସହିତ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି ଏସଟିଏଫ୍ । ଗିରଫ ବେପାରୀ ଜଣକ ହେଲେ ରାଜକିଶୋର ସୁନ୍ଦରାୟ ଆଲିଆସ୍ ଗୁଟୁ । ପୂର୍ବରୁ ଗୁଟୁ ବ୍ରାଉନସୁଗାର କାରବାର ଅଭିଯୋଗରେ ଗିରଫ ହଇଥିଲା । ମାତ୍ର ଗତ କିଛି ଦିନ ହେଲା ଜାମିନରେ ଆସିଥିଲା ।
ସୂଚନା ଅନୁସାରେ, ୨୦୨୦ ମସିହାରୁ ଆଜି ଯାଏ ୪୪ କେଜି ବ୍ରାଉନସୁଗାର ଏସଟିଏଫ ଜବତ କରିଛି । ଏହାସହିତ ୮୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହିତ ୧୨୧ ଜଣ ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି ।