ବଲାଙ୍ଗିର ଇନ୍ଦ୍ରପସ୍ଥ ହୋଟେଲରୁ ଉଦ୍ଧାର ହୋଇଥିବା ମୃତକ ମିଳିଛି ସମ୍ପୂର୍ଣ୍ଣ ପରିଚୟ । ମୃତକ ଜଣକ ହେଉଛନ୍ତି ସୋନପୁର ରିଜର୍ଭ ପୋଲିସ କାର୍ଯ୍ୟରତ ଥିବା କନେଷ୍ଟବଳ ଶଙ୍କରଭାନୁ ବେହେରା । ଶୁକ୍ରବାର ହୋଟେଲ ବାଥ୍ରୁମ୍ରୁ ଶଙ୍କରଭାନୁଙ୍କ ମୃତଦେହ ହାତଗୋଡ଼ ବନ୍ଧା ଅବସ୍ଥାରେ ବଲାଙ୍ଗିର ପୋଲିସ ଉଦ୍ଧାର କରିଥିଲା । ଗଂଜେଇ ବେପାରକୁ ନେଇ ଏହି ବର୍ବର ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରିଛି ପୋଲିସ ।
ସୂଚନା ଅନୁସାରେ ହୋଟେଲର ୨୧୨ ନଂ.ରୁମ୍ରେ ରହୁଥିଲେ ଧନବାଦ ବାସେପୁରର ବୀରେନ୍ ସିଂ ଓ ଅନ୍ୟ ଜଣେ ବ୍ୟକ୍ତି । ହୋଟେଲ ରେକର୍ଡ ଅନୁସାରେ ୧୬ ତାରିଖ ଦିନ ୧୧ଟା ୨୦ରେ ଇନ୍ଦ୍ରପ୍ରସ୍ଥ ହୋଟେଲ୍କୁ ଆସି ବୀରେନ୍ ସିଂଙ୍କ ଆଧାର କାର୍ଡ ଦେଇ ହୋଟେଲ୍ରେ ରହିଥିଲେ ଦୁଇଜଣ । ତେବେ ଗତକାଲି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ହୋଟେଲର ଝାଡ଼ୁଦାର ସଫେଇ ପାଇଁ ରୁମ୍ ନଂ.୨୧୨କୁ ଯାଇଥିବା ବେଳେ ରୁମ୍ ଖୋଲାଥିବା ଦେଖିବାକୁ ପାଇଥିଲେ । ଏହାପରେ ବାଥ୍ରୁମ୍ ଭିତରେ ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖି ହୋଟେଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ହୋଟେଲ ପକ୍ଷରୁ ସୂଚନା ପାଇ ତୁରନ୍ତ ବଲାଙ୍ଗିର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ୍ କରିବା ସହ ଖୋଳତାଡ଼ ଆରମ୍ଭ କରିଦେଇଥିଲା ।
ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ ହୋଟେଲରେ ରହୁଥିବା ଧନବାଦର ସଂପୃକ୍ତ ଦୁଇଜଣଙ୍କୁ ଭେଟିବା ପାଇଁ କାର୍ ନେଇ ହୋଟେଲ୍ରେ ପହଞ୍ଚିଥିଲେ ମୃତ ଶଙ୍କରଭାନୁ । କୌଣସି କାରଣରୁ ହୋଟେଲ୍ର ରୁମ୍ ଭିତରେ ଶଙ୍କରଭାନୁଙ୍କୁ ହତ୍ୟା କରି କନେଷ୍ଟବଳଙ୍କ କାର୍ ନେଇ ୨ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ । ଗତକାଲି ଭୋର୍ ସମୟରେ ସେହି କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବି ଲୋକେ ଦେଖିଥିଲେ । ଏଣୁ ଫେରାର ଦୁଇ ଜଣ ହିଁ ହତ୍ୟାକାରୀ ବୋଲି ସନ୍ଦେହ ସୃଷ୍ଟି ହୋଇଛି । ତେବେ ତଦନ୍ତ ପରେ ଘଟଣାର କାରଣ ସ୍ପଷ୍ଟ ହେବ ବୋଲି ବଲାଙ୍ଗିର ଏସ୍ଡିପିଓ ପ୍ରଦୀପ କୁମାର ସାହୁ କହିଛନ୍ତି । ତେବେ କେଉଁ କାରଣରୁ ମୃତ କନେଷ୍ଟବଳ ଶଙ୍କରଭାନୁ ଧାନବାଦର ବୀରେନ ସିଂ ଏବଂ ଅନ୍ୟ ଜଣଙ୍କୁ ହୋଟେଲକୁ ଭେଟିବାକୁ ଆସିଥିଲେ ତାହାର ଚେର ଖୋଜୁଛି ବଲାଙ୍ଗିର ପୋଲିସ । ଅନ୍ୟପଟେ ଗଞ୍ଜେଇ ଚାଲାଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ବୋଲି କୁହାଯାଉଛି ।
ଅଧିକ ପଢନ୍ତୁ :- ପୁଣି ବଢ଼ିଲା ତାତି