ବହରାଇଚ: ଉତ୍ତର ପ୍ରଦେଶର ବହରାଇଚରେ ଭିନ୍ନ ଧର୍ମର ପୁଅକୁ ପ୍ରେମ କରିବା ମୃତ୍ୟୁର କାରଣ ହୋଇଛି। ପ୍ରେମିକା ଯେତେବେଳେ ପ୍ରେମିକଙ୍କୁ ବିବାହ ପାଇଁ ଚାପ ପକାଇଛି, ପ୍ରେମିକର ପରିବାର ଲୋକେ ଏଥିରେ ରାଜି ହୋଇନାହାନ୍ତି। ଏହାକୁ ନେଇ ଦେଖାଯାଇଥିବା ଅଶାନ୍ତି ମଧ୍ୟରେ ପ୍ରେମିକ ନିଜର ଜଣେ ବନ୍ଧୁଙ୍କ ସହିତ ମିଶି ପ୍ରେମିକାର ତଣ୍ଟିଚିପି ହତ୍ୟା କରିଛି। ପରେ ମୁଣ୍ଡ କାଟି ନାଳରେ ଫିଙ୍ଗିଦେଇଛି। ଏହି ଘଟରାର ତଦନ୍ତ କରି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୁଲିସ କହିଛି, ଗତ ୨୩ ତାରିଖ ଦିନ ବହରାଇଚ ଜିଲ୍ଲା ନାନପାରା ସଦର ଥାନା ଅଧୀନ ନାନପାରା ରୁପଇଡିହା ରାସ୍ତାର ହାଣ୍ଡା ବସେହରୀ ଗାଁ ନିକଟରୁ ଜଣେ ଯୁବତୀଙ୍କ ମୁଣ୍ଡବିହୀନ ମୃତଦେହ ଜବତ ହୋଇଥିଲା। ମୃତ ଯୁବତୀଙ୍କର ପରିଚୟ ଜାଣିବା ପାଇଁ ପୁଲିସ ବହୁତ ଚେଷ୍ଟା କରିଥିଲା। କିନ୍ତୁ ମୁଣ୍ଡ ନଥିବାରୁ ଚିହ୍ନଟ କରିବାରେ ଅସୁବିଧା ହୋଇଥିଲା। ଏହା ପରେ ଏସ୍ପି ବୃନ୍ଦା ଶୁକ୍ଲା ଏହି ମାମଲାର ଖୁଲାସା ପାଇଁ ତାଲିମପ୍ରାପ୍ତ ପୁଲିସ କ୍ଷେତ୍ରାଧିକାରୀ ହର୍ଷିତା ତିୱାରୀଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରିଥିଲେ। ଏହା ପରେ ତଦନ୍ତକାରୀ ଟିମ୍ କାର୍ଯ୍ୟାନୁଷ୍ଠାନ ପାଇଁ ଆଗକୁ ବଢ଼ିଲେ। କିଛି ଦିନ ପରେ ଜଣେ ଯୁବତୀ ନିଖୋଜ ଥିବା ନେଇ ସୂଚନା ମିଳିଥିଲା। କିନ୍ତୁ ଏଥିରେ ମଧ୍ୟ ପୁଲିସକୁ ସଫଳତା ମିଳି ନଥିଲା।
ତେବେ ଗତ ୨୨ ତାରିଖରେ ରୁପଇଡିହାରେ ଜଣେ ୨୦ ବର୍ଷୀୟ ଯୁବତୀ (ଶିବା) ନିଖୋଜ ନେଇ ପୁଲିସକୁ ସୂଚନା ମିଳିଥିଲା। ନିଖେଜ ଯୁବତୀର ଫଟୋ ସହିତ ମୃତ ଯୁବତୀଙ୍କ ସହିତ ତୁଳନା କରାଯାଇଥିଲା। ଏହି ସମୟରେ ଯୁବତୀଙ୍କ ଗୋଡରେ ବନ୍ଧା ଯାଇଥିବା କଳା ସୂତା ଉପରେ ପୁଲିସର ନଜର ପଡ଼ିଥିଲା। ପୁଲିସ ଯେଉଁ ଯୁବତୀଙ୍କ ମୃତଦେହ ଜବତ କରିଥିଲା, ତାର ମଧ୍ୟ ଡାହାଣ ଗୋଡରେ କଳା ସୂତା ବନ୍ଧା ଯାଇଥିଲା। ଏହା ପରେ ମୃତଦେହ ଚିହ୍ନଟ ପାଇଁ ପୁଲିସ ଯୁବତୀଙ୍କ ପରିବାର ଲୋକଙ୍କୁ ଡାକିଥିଲା। ପରିବାର ଲୋକେ ମୃତଦେହ ଚିହ୍ନଟ କରିଥିଲେ।
ମୃତ ଯୁବତୀ ଶିବା ଭାବେ ଚିହ୍ନଟ ହେଲା ପରେ ପୁଲିସ ଶିବାର ମାମୁଁ-ମାଇଁଙ୍କ ଠାରୁ ଅଧିକ ଜାଣିବା ପାଇଁ ଡାକିଥିଲା। ଏବେ ପୁଲିସ ଜାଣିବାକୁ ପାଇଲା ଯେ, ମହ୍ଲୀପୁର ଥାନା ଅଧିନ ମହ୍ଲୀପୁର ନିବାସୀ ଅରୁଣ ସୈନୀ ନାମକ ଜଣେ ଯୁବକଙ୍କ ସହିତ ଶିବା ଫୋନରେ କଥାବାର୍ତ୍ତା କରୁଥିଲେ। ଶିବା ନିଜ ମାମୁ ହସମତ ଅଲିଙ୍କ ସହିତ ରହୁଥିଲେ। ଅଭିଯୁକ୍ତ ମଧ୍ୟ ନିଜ ମାମୁଁ ଗାଁରେ ରହି ସ୍କୁଲରେ ପଢୁଥିଲା। ଅରୁଣ ଯେତେବେଳେ ହାଇସ୍କୁଲରେ ପଢୁଥିଲା ଶିବା ୮ମ ଶ୍ରେଣୀର ଛାତ୍ରୀ ଥିଲା। ଉଭୟଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା। କିନ୍ତୁ ଶିବା ଯେତେବେଳେ ବିବାହ ପାଇଁ ଅରୁଣକୁ ପ୍ରସ୍ତାବ ଦେଲା, ତାଙ୍କର ପରିବାର ଲୋକେ ଏହାକୁ ଅସ୍ବୀକାର କରିଥିଲେ। ଶେଷରେ ହତ୍ୟା ପାଇଁ ଯୋଜନା ହୋଇଥିଲା।