ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ପୁରୁଣା ଲୁହାପୋଲ ଉପରେ ରବିବାର ରାତିରେ ଜଣେ ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ହେଲେ ଇସ୍ଲାମ୍। ସେ ଜନତା ମଜଦୂର କଲୋନୀରେ ରହୁଥିଲେ। ଏହି ହତ୍ୟାକାଣ୍ଡ ନେଇ ପରିବାର ଲୋକେ ଭାଙ୍ଗିପଡ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଛି ଯେ, ଇସ୍ଲାମ୍ ରବିବାର ସକାଳୁ ଅଟୋ ନେଇ ବାହାରି ଯାଇଥିଲେ। ରାତି ପାଖାପାଖି ୧୧ଟା ୩୦ରେ ପୁଲିସକୁ ହତ୍ୟା ନେଇ ସୂଚନା ମିଳିଥିଲା।
ପୁଲିସ ଲୁଟପାତ୍, ପୂର୍ବ ଶତ୍ରୁତାକୁ ଆଧାର କରି ଘଟଣାର ତଦନ୍ତ କରୁଛି। ଏଥି ସହିତ ସିସିଟିଭି ଫୁଟେଜ୍କୁ ଆଧାର କରି ଯାଞ୍ଚ କରୁଛି।
ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଏଭଳି ଘଟଣା ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି। ଚାରିଆଡ଼େ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ଲାଗିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଅପରାଧିକ ଘଟଣା ଘଟଣାଇବାକୁ ପଛାଉ ନାହାନ୍ତି।