ଛିନ୍ଦୱାଡ଼ା: ମଧ୍ୟପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ଛିନ୍ଦୱାଡା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମାହୁଲଝିର ଥାନା ଅଧିନ ବୋଦଲ କଛାର ଗାଁରେ ଏକ ଆଦିବାସୀ ପରିବାରରେ ୮ ଜଣଙ୍କୁ ସାମୁହିକ ହତ୍ୟା କରାଯାଇଛି। ପରିବାରର ମୁଖ୍ୟ ଏହି ହତ୍ୟା କରିଛି। ନିଜ ପରିବାରର ୮ ଜଣଙ୍କୁ ହତ୍ୟା କଲା ପରେ ଶେଷରେ ଅଭିଯୁକ୍ତ ବେକରେ ଦଉଡ଼ି ଲଗାଇ ଜୀବନ ହାରିଛି। ମୃତକମାନଙ୍କ ମଧ୍ୟରେ ଅଭିଯୁକ୍ତର ପତ୍ନୀ ଓ ପରିବାରର ଅନ୍ୟ ସଦସ୍ୟ ଅଛନ୍ତି। ଅଭିଯୁକ୍ତ ନିଜ ଭାଇଙ୍କ ଶିଶୁ ସନ୍ତାନକୁ ମଧ୍ୟ ଆକ୍ରମଣ କରିଛି । କିନ୍ତୁ ଖୁସିର କଥା ଯେ, ସେଠାରୁ ପଳାୟନ କରି ଜୀବନ ବଞ୍ଚାଇ ପାରିଛି ଓ ପୁଲିସକୁ ସୂଚନା ଦେଇଛି।
ପୁଲିସ କହିଛି ମଙ୍ଗଳବାର-ବୁଧବାର ରାତି ୩ଟାରେ ଅଭିଯୁକ୍ତ ନିଜ ପରିବାରର ଜଣକ ପରେ ଜଣକୁ ଆକ୍ରମଣ କରିଥିଲା। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁ କୌଶଳ କ୍ରମେ ଘଟଣାସ୍ଥଳରୁ ଖସି ଯିବାରେ ସକ୍ଷମ ହୋଇଥିଲା। କୁହାଯାଉଛି ଯେ, ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାରିବାରିକ କାରଣକୁ ନେଇ ଅନେକ ସମୟରେ କଳି ହୋଇଥାଏ।
ପୁଲିସ କହିଛି, ଅଭିଯୁକ୍ତ ମାନସିକ ବିକାରଗ୍ରସ୍ତ ମଣିଷ। ୮ ଜଣଙ୍କୁ ହତ୍ୟା ପରେ ଘର ସାରା ମୃତଦେହ ପଡ଼ି ରହିଥିଲା। ପୁଲିସ ସୂଚନା ପାଇଁ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଜବତ କରିଛି। ମୃତଦେହଗୁଡ଼ିକ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲାର ରୁଜୁ କରିଛି। ପାରିପାଶ୍ୱିର୍କ ସ୍ଥିତି ଆଧାରରେ ଘଟଣାର ତଦନ୍ତ କରୁଛି।