ଭୁବନେଶ୍ୱର: ରାଜ୍ୟ ପୋଲିସ ଚୋରା ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହି ମାମଲାରେ ସହ ୩୬୦ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବାବେଳେ ମୋଟ ୪୫୬ ଟି ମାମଲା ରୁଜୁ କରାଯାଇଛି । ଏ ନେଇ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଡିଜିପି ଶ୍ରୀ ଖୁରାନିଆ ସୂଚନା ମୁତାବକ, ରାଜ୍ୟ ତମାମ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱାକୁ ଜବତ କରାଯାଉଛି । ଜିଲ୍ଲା ପ୍ରଶାସନ, ଖଣି ବିଭାଗ ଓ ପୋଲିସ ବିଭାଗର ମିଳିତ ସହଯୋଗରେ ଗତ ୭ ତାରିଖରୁ ପୋଲିସ ପକ୍ଷରୁ ଏହି ସ୍ଵତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା । ଆଜି ପର୍ଯ୍ୟନ୍ତ ସାରା ରାଜ୍ୟରେ ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ବିରୋଧରେ ୪୫୬ ଟି ମାମଲା ରୁଜୁ କରାଯାଇଥିବା ବେଳେ ୫୨୪ ଟି ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱାକୁ ଜବତ କରାଯାଇଛି । ଏହା ସହ ୩୬୦ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ୧ ଶହରୁ ଅଧିକ ଲୋକଙ୍କୁ ନୋଟିସ ଦିଆଯାଇଛି ବୋଲି ଦେଇଛନ୍ତି ।
ଏହି ଅଭିଯାନ ଲଗାତର ଭାବେ ଚାଲିବ । ବାଲି, ମୋରମ ଚୋରା କାରବାର ସମ୍ପର୍କରେ ସ୍ଥାନୀୟ ବ୍ୟକ୍ତିବିଶେଷ ପୋଲିସକୁ ସୂଚନା ମଧ୍ୟ ଦେଇପାରିବେ। ପୋଲିସର ଏହି ଅଭିଯାନ ଯୋଗୁଁ ରାଜ୍ୟରେ ବାଲି, ମୋରମ ଏବଂ ମାଙ୍କଡା ପଥର ମାଫିଆଙ୍କ ଦୌରାତ୍ମ୍ୟ ନିଶ୍ଚିତ ଭାବେ କମିବ ବୋଲି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।