ଭୁବନେଶ୍ୱର: ମାତ୍ର ତିନି ଦିନ ବ୍ୟବଧାନ ପରେ ପୁଣି ଥରେ ସୁନା ଦରରେ ନିଆଁ ଲାଗିଛି । ବୁଧବାର ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬ ହଜାର ୬୬୦ ଟଙ୍କା ବୃଦ୍ଧି ପାଇଛି । ଆଜିର ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୬୦ ହଜାର ୫୩୦ ଟଙ୍କା ହୋଇଛି । ସେହିପରି ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନା ଦର ୬ ହଜାର ୫୦ ଟଙ୍କା ବୃଦ୍ଧି ଘଟିଛି । ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧ ଲକ୍ଷ ୪୭ ହଜାର ୧୫୦ ଟଙ୍କା ରହିଛି ।
ସେହିପରି ରୁପା କିଲୋଗ୍ରାମ ପିଛା ୨୦ ହଜାର ବଢ଼ି ହେଲା ୩ ଲକ୍ଷ ୨୦ ହଜାର ଟଙ୍କା । ଗତକାଲି ରୁପା ମୂଲ୍ୟ କେଜି ପିଛା ୩ ଲକ୍ଷ ଟଙ୍କା ଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଚଳିତ ସପ୍ତାହ ଆରମ୍ଭରୁ ଅର୍ଥାତ ରବିବାରଠାରୁ ମଙ୍ଗଳବାର ପର୍ୟ୍ୟନ୍ତ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା । ଯାହାକି ଗ୍ରାହକଙ୍କୁ ଏକ ଆଶ୍ୱସ୍ତି ଆଣି ଦେଇଥିଲା । ରବିବାର ୧ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ୧୬ ହଜାର ୫୮ ଟଙ୍କା ଥିବାବେଳେ ୨୨କ୍ୟାରେଟ୍ ରେ ୧୪ ହଜାର ୭୨୦ ଟଙ୍କା ଥିଲା । ସେହିପରି ସୋମବାର ୧ ଗ୍ରାମ ୨୪ କ୍ୟାରେଟ୍ ସୁନା ପିଛା ମୂଲ୍ୟ ୧୫ ହଜାର ୩୧୭ ଟଙ୍କା ଏବଂ ୨୨କ୍ୟାରେଟ୍ ୧୪ ହଜାର ୪୦ ଟଙ୍କା ଥିଲା । ଏଥିରେ ଆହୁରି ହ୍ରାସ ଘଟି ମଙ୍ଗଳବାର ୧ ଗ୍ରାମ ୨୪କ୍ୟାରେଟ୍ ସୁନା ୧୫ ହଜାର ୧୭୫ ଏବଂ ୨୨କ୍ୟାରେଟ୍ ସୁନା ୧୩ ହଜାର ୯୧୦ ଟଙ୍କାରେ ପହଁଚିଥିଲା ।